ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ । ସୋମବାର ଠାରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହା ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସେହିଭଳି ଜୁନ୍ ୧୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଜୁନ୍ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏନେଇ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର୍ ନିଯୁକ୍ତ ହୋଇଛନ୍ତି । ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର୍ ଏବଂ ବିଦ୍ୟାଧର ମାଝୀ ଯୁଗ୍ମ ସଚିବଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର୍ ଭାବେ ନିଯୁକ୍ତ କରାଯାଇଛି ।
ସୂଚନାନୁସାରେ, ଗତ ମେ' ୨୫ ତାରିଖ ଦିନ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ଆସନ ପାଇଁ ହେବ ଉପ-ନିର୍ବାଚନ । ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବାପରେ ମେ’ ୨୬ ତାରିଖରେ ଭାରତୀୟ ଜନତା ପାର୍ଟିରେ ମିଶିଥିଲେ। ତେବେ ଦେବାଶିଷଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ୧୮ରେ ୧୧ଟି ରାଜ୍ୟର ୨୫ଟି ଆସନ ପାଇଁ ରାଜ୍ୟସଭା ଉପ-ନିର୍ବାଚନ ହେବାକୁ ଯାଉଛି ।



