୩ବର୍ଷ ମଧ୍ୟରେ ଓଡ଼ିଶାରେ ଖୋଲିବ ନାହିଁ ଗୋଟିଏ ବି ମଦଦୋକାନ

‘ନିଶାକୁ ନାଁ, ଜୀବନକୁ ହଁ’ ବାର୍ତ୍ତାକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

୩ବର୍ଷ ମଧ୍ୟରେ ଓଡ଼ିଶାରେ ଖୋଲିବ ନାହିଁ ଗୋଟିଏ ବି ମଦଦୋକାନ
Samaya Live News Picture
Published On

ଭୁବନେଶ୍ୱର : ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ । କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ-୨.୦’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏହାସହ ନିଶା ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି କହିଛନ୍ତି ।

ମଦ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଯୋଗୁଁ ମହିଳାଙ୍କ ବିରୋଧରେ ହିଂସା ଓ ଅନ୍ୟାନ୍ୟ ଜଘନ୍ୟ ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ରାଜ୍ୟ ସରକାରଙ୍କ ନୂତନ ଅବକାରୀ ନୀତି (୨୦୨୬-୨୦୨୯) ଅନୁଯାୟୀ, ଓଡ଼ିଶାରେ ଆଗାମୀ ୩ ବର୍ଷ ପାଇଁ ନୂତନ ମଦ ଦୋକାନ ଖୋଲିବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ଚୋରା ଓ ବିଷାକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି । ତମାଖୁ ଓ ନିକୋଟିନ୍ ଯୁକ୍ତ ପାନମସଲା ଏବଂ ଗୁଟ୍ ଖା ଉତ୍ପାଦନ ଓ ବିକ୍ରି ଉପରେ ମଧ୍ୟ କଟକଣା କଡ଼ା କରାଯାଇଛି । ସ୍କୁଲ ଓ କଲେଜ କ୍ୟାମ୍ପସକୁ ‘ନିଶା ନିଷିଦ୍ଧ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । 

୨୦୨୯ ଶେଷ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ଲକ୍ଷ୍ୟ ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷକରି ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟ ସହ ଯୋଡ଼ିବା ‘ଜୀବନ ଜିନ୍ଦାବାଦ-୨.୦’ର ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଛନ୍ତି । ପିଲାମାନଙ୍କ ଆଚରଣ ଓ ବ୍ୟବହାରରେ ହଠାତ୍ ପରିବର୍ତ୍ତନ ଦେଖାଦେଲେ ଅଭିଭାବକମାନେ ଏହାକୁ ‘ରେଡ୍ ଫ୍ଲାଗ୍’ ଭାବେ ନେଇ ସତର୍କ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ‘ନିଶାକୁ ନାଁ, ଜୀବନକୁ ହଁ’ ବାର୍ତ୍ତାକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ଏକ ସୁସ୍ଥ ଓ ସଚେତନ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ନୂଆ ଦୋକାନ ଖୋଲିବା ଉପରେ କଟକଣା ସହ ବେଆଇନ ଗଞ୍ଜେଇ, ଅଫିମ ଏବଂ କୃତ୍ରିମ ଡ୍ରଗ୍ସ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Tags: