ଓଡିଶାରେ କେହି ରହିବେନି ବାସହୀନ - କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ
ଭୁବନେଶ୍ଵର : ଓଡିଶାରେ କେହି ରହିବେନି ବାସହୀନ। ଖୁବଶୀଘ୍ର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପିଏମ ଆବାସ (PM Awas Yojana) ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ ସୂଚନା ଦେଇଛନ୍ତି । ରାଜ୍ୟରେ ଗରିବ ଏବଂ ଭୂମିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ରାଜ୍ୟରୁ ରିପୋର୍ଟ ମଗେଇଛୁ, ତାଲିକା ପ୍ରସ୍ତୁତ ହେଉଛି ମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି, ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଛନ୍ତି ଦେଶର କୌଣସି ବ୍ୟକ୍ତି ବିନା ଘର କିମ୍ବା ଶୌଚାଳୟରେ ରହିବେ ନାହିଁ । ଏହା ପରେ ଗ୍ରାମୀଣ ବିକାଶ ବିଭାଗ ସମଗ୍ର ଦେଶରେ ସର୍ଭେ କାମ ଆରମ୍ଭ କରିଛି ।
ବିରୋଧୀ ଆବାସକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଆରୋପ ଲଗାଇବା ସହଜ। ଯେଉଁମାନେ ଆରୋପ ଲଗାଉଛନ୍ତି, ସେମାନେ କେତେ ବର୍ଷ ଓଡିଶାରେ ଶାସନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଖୁବଶୀଘ୍ର ଆବାସ ଏବଂ ଗ୍ରାମୀଣ ସଡ଼କ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ପ୍ରାୟ ୩୭ ଲକ୍ଷରୁ ଅଧିକ ପରିବାର ଆବାସ ଯୋଜନା ପାଇଁ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ଲକ୍ଷ ପରିବାରକୁ ଆବାସ ସହାୟତା ରାଶି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଯୋଗ୍ୟ ପରିବାରକୁ ଏହା ମିଳିବ ।




