ଓଡିଶାକୁ ନାହିଁ ନିପା ଭୟ - ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ନିପା ଭାଇରସ ଆତଙ୍କ । ୨ ନର୍ସଙ୍କଠାରେ ଭୂତାଣୁ ଚିହ୍ନଟ ପରେ ଓଡ଼ିଶାରେ ଭୟ ବଢିଛି । ତେବେ ରାଜ୍ୟକୁ ନିପା ଭୟ ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କେନ୍ଦ୍ର ନିର୍ଦ୍ଦେଶ ନଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।
୨୦୨୩ ମାର୍ଗଦର୍ଶିକାକୁ ପାଳନ କରାଯାଉଛି । ଓଡ଼ିଶାରେ ନିପା ଭାଇରସ ରୋଗୀ ଚିହ୍ନଟ ହୋଇନି । ଭାରତ ସରକାରଙ୍କ ଏକ ଟିମ ପଶ୍ଚିମ ବଙ୍ଗ ଯାଇ କାମ କରୁଛନ୍ତି । ଓଡ଼ିଶା ସରକାର ଵି କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି । ପଶ୍ଚିମ ବଙ୍ଗରେ ମାତ୍ର ଦୁଇଟି ମାମଲା ଆସିଛି ହେଲେ ବ୍ୟାପିବାର ଖବର ଆସିନାହିଁ । ଯେଉଁଥିପାଇଁ ଓଡ଼ିଶାକୁ ବର୍ତମାନ ଭୟ କରିବା ଦରକାର ନାହିଁ ।
ପଶ୍ଚିମବଙ୍ଗରେ ନିପା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ଏବେ ସତର୍କ ଘଣ୍ଟି ବାଜିଛି। ବିଶେଷକରି ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସଂକ୍ରମିତ ଘୁଷୁରୀ, ବାଦୁଡିଙ୍କ ଠାରୁ ଏହି ଭୂତାଣୁ ମଣିଷର ଶରୀର ଆସିବା ପରେ ଲୋକଙ୍କ ମଧ୍ୟରେ କ୍ଷୀପ୍ର ଗତିରେ ବ୍ୟାପିଥାଏ। ତେଣୁ ସଚେତନ ଓ ସତର୍କତା ହିଁ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇଛନ୍ତି।



