ଆଉ ମିଳିବନି ତ୍ରାହି, ଆଜିଠାରୁ 'ନୌତପା'

ଆଉ ମିଳିବନି ତ୍ରାହି, ଆଜିଠାରୁ 'ନୌତପା'
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ସୂର୍ଯ୍ୟଙ୍କ ପ୍ରଖର କିରଣ 'ନୌତପା' । ଅର୍ଥାତ ୯ଦିନ ଧରି ଲାଗି ରହିବ ତାପ । ଆଜିଠାରୁ ଚରମ ସୀମାରେ ପହଞ୍ଚିବ ତାତି । ସୂର୍ଯ୍ୟଙ୍କ ତାପ ୫୦ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ଆଶଙ୍କା ଥାଏ I ଆଗାମୀ ୯ଦିନ ବ୍ୟାପି ଅସମ୍ଭାଳ ହେବ ଗରମ । ଭାରତୀୟ ପାଣିପାଗ ଏବଂ ଜ୍ୟୋତିର୍ବିଜ୍ଞାନ ଆଧାରିତ ନୌତପା ସମୟରେ ସୂର୍ଯ୍ୟଙ୍କର ସିଧା କିରଣ ଅତ୍ୟନ୍ତ ତୀବ୍ର ହୋଇ ପୃଥିବୀ ପୃଷ୍ଠରେ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି, ସେତେବେଳେ ନୌତପା ଆରମ୍ଭ ହୁଏ। ଚଳିତ ବର୍ଷ ଏହା ୨୫ମେ' ରୁ ଆରମ୍ଭ ହୋଇ ଜୁନ ୨ତାରିଖ ମଧ୍ୟରେ ଚାଲିବ। ଏହି ୯ ଦିନ ପୃଥିବୀ ଯେତେ ଅଧିକ ଉତ୍ତପ୍ତ ହେବ, ମୌସୁମୀ ବାୟୁ ସେତେ ଶୀଘ୍ର ଆସିବ ଏବଂ ବର୍ଷା ସେତେ ଭଲ ହେବ।ବୋଲି ବିଶ୍ୱାସ ରହିଛି  । 

ମେ ମାସର ଶେଷ ଆଡ଼କୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ହୋଇଥାଏ। ସୂର୍ଯ୍ୟ ବିଷୁବରେଖାରୁ ଉତ୍ତରକୁ ଗତି କରି କର୍କଟ କ୍ରାନ୍ତିର ଠିକ୍ ଉପରକୁ ଚାଲିଆସନ୍ତି । ଫଳରେ ମେ’ ଶେଷ ବେଳକୁ ମାଟିରେ ଥିବା ଆର୍ଦ୍ରତା ଶେଷ ହୋଇଯାଇଥାଏ। ମାଟି ସମ୍ପୂର୍ଣ୍ଣ ଶୁଖିଲା ହୋଇଯାଇଥିବାରୁ, ସୂର୍ଯ୍ୟଙ୍କ ତାପଜ ଶକ୍ତିକୁ ହ୍ରାସ କରିବା ପାଇଁ ପ୍ରକୃତି ପାଖରେ କୌଣସି ଜଳୀୟବାଷ୍ପ ନଥାଏ। ଫଳରେ ୧୦୦% ସୂର୍ଯ୍ୟକିରଣ ସିଧାସଳଖ ବାୟୁମଣ୍ଡଳର ତାପମାତ୍ରା ବଢ଼ାଇବାରେ ଲାଗିଯାଏ।

ଅତ୍ୟଧିକ ଗରମ ଯୋଗୁଁ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର ସ୍ଥଳଭାଗର ବାୟୁ ହାଲୁକା ହୋଇ ଉପରକୁ ଚାଲିଯାଏ, ଯାହାଫଳରେ ସେଠାରେ ଏକ ଶକ୍ତିଶାଳୀ ଥର୍ମାଲ୍ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ। ଏହି ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ରାଜସ୍ଥାନ ଓ ପାକିସ୍ତାନର ମରୁଭୂମି ଅଞ୍ଚଳରୁ ଅତ୍ୟନ୍ତ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହୁଏ, ଯାହାକୁ ଆମେ 'ଲୁ' କହିଥାଉ। ଏହା ତାପମାତ୍ରାକୁ ଆହୁରି ବଢ଼ାଇ ଦିଏ। 

ସେପଟେ ଆଜି ଠାରୁ ୨୯ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ । ଆଉ ୫ ଦିନ ତତଲା ତାୱାରେ ଭାଜି ହେବ ଓଡ଼ିଶା । ଆଜି ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଏବଂ ୟେଲୋ ଆଲର୍ଟ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଅଗ୍ନି ବର୍ଷା ଜାରି ରହିବ । ଆଜି ସମ୍ବଲପୁର, ବଲାଙ୍ଗର ଓ ବୌଦ୍ଧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଇଏମଡି । ଉପକୂଳ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ।

ଅନ୍ୟପଟେ ,ନୌତପା ସମୟରେ ପ୍ରଚଣ୍ଡ ରୌଦ୍ର ଅନୁଭୂତ ହୋଇଥାଏ ଏହି ସମୟରେ ସ୍ୱାସ୍ଥ୍ୟ ବିଗିଡ଼ିବାର ଆଶଙ୍କା ଥାଏ । ତେଣୁ ଏହି ସମୟରେ ଆମର ହଜମ ପ୍ରକ୍ରିଆରେ ବାଧା ସୃଷ୍ଟି ହୁଏ । ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଇଲେକ୍ଟ୍ରୋଲ, ପଇଡ଼ ପାଣି, ତୋରାଣୀ, ଦହି ପଖାଳ, ଆମ୍ବ ପଣା, ବେଲ ପଣା ଏବଂ ମାଣ୍ଡିଆ ଜାଉ ଆଦି ପାରମ୍ପରିକ ଖାଦ୍ୟ ଖାଇବା ଉଚିତ । ଅଧିକ ତେଲ, ମସଲାଯୁକ୍ତ ଗରିଷ୍ଠ ଖାଦ୍ୟ ଶରୀର ନିଜର ତାପମାତ୍ରା ନିୟନ୍ତ୍ରଣ କରିବାରେ ବହୁତ ଶକ୍ତି ଖର୍ଚ୍ଚ କରୁଥିବାରୁ, ହଜମ ପ୍ରକ୍ରିୟା ପାଇଁ କମ୍ ଶକ୍ତି ବାକି ରହେ । ତେଣୁ ଏହି ସମୟରେ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏଁ  ଖରାକୁ ବାହାରିବା ପାଇଁ ବାରଣ କରାଯାଇଥାଏ । ବାହାରକୁ ବାହାରିଲେ ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ । ନିହାତି ବାହାରକୁ ବାହାରିଲେ ଓଦା ଗାମୁଛାରେ ମୁଣ୍ଡ ଓ ମୁହଁକୁ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଥାଏ ।

 

 

Tags: