ପାଇଖାନା ଟାଙ୍କିରେ ପଡି ୬ଜଣଙ୍କର ମୃତ୍ୟୁ ଘଟଣା, ଏନଏଚଆରସିରେ ମାମଲା

ପାଇଖାନା ଟାଙ୍କିରେ ପଡି ୬ଜଣଙ୍କର ମୃତ୍ୟୁ ଘଟଣା, ଏନଏଚଆରସିରେ ମାମଲା
Samaya Live News Picture
Published On

କଳାହାଣ୍ଡି :  କଳାହାଣ୍ଡିରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣା । ଘଟଣା ସମ୍ପର୍କରେ ଅବଗତ ହେବା ପରେ ସ୍ୱତଃ ସଜ୍ଞାନ ହୋଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC) । କମିଶନଙ୍କ ପକ୍ଷରୁ ଏନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବ ଏବଂ କଳାହାଣ୍ଡି ଏସପିଙ୍କୁ ୨ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନୋଟିସ୍ ଜାରି କରିଛନ୍ତି। ରିପୋର୍ଟରେ ଘଟଣାର ତଦନ୍ତ ସ୍ଥିତି, ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ସୂଚନା ଦେବାକୁ କୁହାଯାଇଛି। 

ମେ'  ୨୬ ତାରିଖରେ କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା  ଗାଁରେ ନିର୍ମାଣାଧୀନ ସେପ୍ଟିକ୍ ଟ୍ୟାଙ୍କରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ନିର୍ମାଣାଧୀନ ଟାଙ୍କି ଭିତରକୁ ପ୍ରଥମେ ଜଣେ ମିସ୍ତ୍ରୀ ଭୁଲବଶତଃ ଖସି ପଡ଼ିଥିଲେ। ପରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଘର ମାଲିକ ନିମାଇଁ ପାଲ, ତାଙ୍କ ପୁଅ ଆକାଶ ପାଲ ଏବଂ ଅନ୍ୟ ଶ୍ରମିକମାନେ ଗୋଟିଏ ପରେ ଗୋଟିଏ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ। ମାତ୍ର ଭିତରେ ଭରି ରହିଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ସମସ୍ତେ ସେଠାରେ ଅଚେତ ହୋଇ ପଡ଼ିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଙ୍କଜ ଜାନୀ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (VIMSAR) ରେ ଚିକିତ୍ସିତ ହେଉଛନ୍ତି।

Tags: