OAS ଓ ORS ଅଧିକାରୀଙ୍କ ବଦଳି ପାଇଁ ନୂଆ ନିୟମ
ଭୁବନେଶ୍ୱର : OAS ଓ ORS ଅଧିକାରୀଙ୍କ ପାଇଁ ନୂଆ ବଦଳି ନିୟମ । ବଦଳି ପାଇଁ କାମ କରିବନି ପାର୍ଟି ନେତାଙ୍କ ଚିଠି । ପ୍ରଶାସନକୁ ଅଧିକ ପ୍ରଭାବଶାଳୀ, ସ୍ଵଚ୍ଛ ଓ ଦାୟିତ୍ବସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଓଡିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । OAS (ଗ୍ରୁପ୍-ଏ ଜୁନିଅର ଗ୍ରେଡ୍) ଏବଂ ORS ଅଧିକାରୀଙ୍କ ପାଇଁ ଏକ ନୂଆ ବଦଳି ନୀତି ଘୋଷଣା କରାଯାଇଛି । ରାଜ୍ଯ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି l
ନୂତନ ନିୟମ ଅନୁଯାୟୀ, ପ୍ରତିବର୍ଷ ୧୫ ଏପ୍ରିଲ୍ ଠାରୁ ୧୫ ଜୁନ୍ ମଧ୍ୟରେ ସାଧାରଣ ବଦଳି ଅବଧି ରହିବ । ଅବଧି ବାହାରେ ଅନ୍ୟ ସମୟରେ ବଦଳି ପାଇଁ ଉଚ୍ଚତର କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ପଦବୀରେ ରହିବା ସମୟ ସର୍ବନିମ୍ନ ୨ ବର୍ଷ ଓ ସର୍ବାଧିକ ୩ ବର୍ଷ ହେବ। ସେହିପରି ପ୍ରଥମ ୬ ବର୍ଷ ଗାଁ ଗହଳିରେ କାମ କରିବାକୁ ପଡ଼ିବ। ଅଧିକାରୀମାନେ ଜଣେ ଜଣେ ଜନସେବକ ହୋଇଥିବାରୁ ବ୍ୟକ୍ତିଗତ ଅନୁରୋଧ କିମ୍ବା ପତିଆରା ବଦଳି କ୍ଷେତ୍ରରେ କାମ କରିବ ନାହିଁ ।
ଯାହାଫଳରେ ସେମାନେ ତୃଣମୂଳ ସ୍ତରର ସମସ୍ୟା ବୁଝିପାରିବେ । ପ୍ରଥମ ପୋଷ୍ଟିଂ ସମୟରେ KBK ଜିଲ୍ଲା, ଗଜପତି, କନ୍ଧମାଳ ଏବଂ ଅନ୍ୟାନ୍ୟ ଅନୁସୂଚିତ ଅଞ୍ଚଳକୁ ଗୁରୁତ୍ୱ ଦିଆଯିବ । ବଦଳି ପାଇଁ କୌଣସି ପ୍ରକାରର ସୁପାରିଶ କରାଯାଇପାରିବ ନାହିଁ । ଏମିତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବଦଳି ନିର୍ଦ୍ଦେଶ ମିଳିବାର ୭ ଦିନ ମଧ୍ୟରେ ଅଧିକାରୀଙ୍କୁ ପୁରୁଣା ଦାୟିତ୍ୱ ଛାଡ଼ିବାକୁ ହେବ । ପରବର୍ତ୍ତୀ ୭ ଦିନ ମଧ୍ୟରେ ନୂଆ ସ୍ଥାନରେ ଯୋଗ ଦେବାକୁ ହେବ । ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବା ଅଧିକାରୀଙ୍କ ଅନୁରୋଧକୁ ସହାନୁଭୂତିର ସହ ବିଚାର କରାଯିବ । ସ୍ୱାମୀ-ସ୍ତ୍ରୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ, ସେମାନଙ୍କୁ ପାଖାପାଖି ସ୍ଥାନରେ ରଖିବାକୁ ଚେଷ୍ଟା କରାଯିବ । ଯେଉଁମାନେ KBK ଭଳି ଦୁର୍ଗମ ଅଞ୍ଚଳରେ ୩ ବର୍ଷ କାମ କରିବେ ସେମାନଙ୍କୁ ବଦଳି ସମୟରେ ପସନ୍ଦର ଜିଲ୍ଲା ପାଇଁ ପ୍ରାଧାନ୍ୟ ମିଳିବ । ଅଧିକାରୀମାନଙ୍କ ପାଇଁ ନିଜ ଘରୋଇ ଜିଲ୍ଲାରେ ନିଯୁକ୍ତି ନିମନ୍ତେ ନିଷେଧାଦେଶ ଜାରି କରାଯାଇଛି; ମାତ୍ର ଅବସର ପୂର୍ବରୁ ବିଶେଷ ପରିସ୍ଥିତିରେ ଏ ସମ୍ପର୍କରେ ଛାଡ ମିଳିପାରେ।



