ଆଜିଠାରୁ ସୁଭଦ୍ରା ଯୋଜନାର ନୂତନ ପଞ୍ଜିକରଣ
ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ଆଜିଠାରୁ ଏପ୍ରିଲ ୩୦ ଏକ ମାସ ଯାଏଁ ପଞ୍ଜିକରଣ ଅବଧି ରହିଛି । ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ।
ସରକାରଙ୍କ ନିୟମ ଅନୁସାରେ ଆବେଦନକାରୀଙ୍କ ବୟସ ୨୦୨୬ ଏପ୍ରିଲ ୧ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କାର ସହାୟତା ରାଶି ପାଇବେ ବୋଲି ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନ ଥିବେ, ସେମାନେ ହିଁ କେବଳ ଏହି ସମୟସୀମା ଭିତରେ ନୂତନ ଭାବେ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନକୁ ଗ୍ରହଣ କରାଯିବନାହିଁ । ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ପାଇପାରିବେ । ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର ଏବଂ ଆମ ସେବା କେନ୍ଦ୍ର ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରିପାରିବେ ।



