ମାର୍ଚ୍ଚ ଶେଷ ସୁଦ୍ଧା ଗଠନ ହେବ ନୂଆ ଦଳ - ମୋକିମ
ଭୁବନେଶ୍ୱର : ରାଜ୍ୟରେ ଖୁବ ଶୀଘ୍ର ଗଠନ ହେବାକୁ ଯାଉଛି ଆଉ ଏକ ନୂଆ ଆଞ୍ଚଳିକ ରାଜନୈତିକ ଦଳ । ଗଣମାଧ୍ୟମ ଆଗରେ ଏନେଇ ଆଜି ସୂଚନା ଦେଇଛନ୍ତି ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ । ସେ କହିଛନ୍ତି ନୂଆ ଦଳ ଗଠନ ନେଇ ସମୀକରଣ ଚାଲିଛି, ପୁରା ରାଜ୍ୟରୁ ମତାମତ ନିଆଯାଉଛି । ଆସନ୍ତା ୧୨ତାରିଖ ଜାତୀୟ ଯୁବ ଦିବସରେ ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ । ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ। ଯୁବ ସମାବେଶରେ ଏକାଠି ହେବେ ରାଜ୍ୟର ଅନେକ ଯୁବ ପୀଢି । ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ । ନୂଆ ଦଳର ନାମ ଲୋକ କଂଗ୍ରେସ ଦିଆଯିବ ବୋଲି ସୂଚନା ମିଳିଛି ।
ସୂଚନାନୁସାରେ,ପୂର୍ବରୁ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିଛନ୍ତି ବୋଲି କହିଥିଲେ । ତେବେ ଏହାପରେ ସେ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ନିଜ ଶୁଭେଚ୍ଛୁଙ୍କ ପରାମର୍ଶ ଅନୁସାରେ ଆଗାମୀ ପଦକ୍ଷେପ ଗ୍ରହଣ କରିବେ ବୋଲି ମୋକିମ କହିଥିଲେ । ଦଳର ଶୀର୍ଷ ନେତୃତ୍ୱଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଦଳରୁ ବହିଷ୍କୃତ ହୋଇଥିଲେ ।



