ସହରାଞ୍ଚଳରେ ଭଡା ଘର ପାଇଁ ଆସିବ ନୂଆ ଆଇନ

ସହରାଞ୍ଚଳରେ ଭଡା ଘର ପାଇଁ ଆସିବ ନୂଆ ଆଇନ
Samaya Live News Picture
Published On

ଭୁବନେଶ୍ୱର : ଏଣିକି ବନ୍ଦ ହେବ ଘର ଭଡା ଦେଉଥିବା ମାଲିକଙ୍କ ମନମାନୀ । ଆଉ ମନ ଇଛା ଘର ଭଡା ବଢ଼ାଇ ପାରିବେ ନାହିଁ କିମ୍ବା ଘର ଖାଲି କରିବାକୁ ବାଧ୍ୟ କରି ପାରିବେ ନାହିଁ  । ରାଜ୍ୟର ସହରାଂଚଳରେ ଘରଭଡ଼ାକୁ ନେଇ ବିଭିନ୍ନ ସମୟରେ ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲାଗୁଥିବା କଳିରେ ପଡିବ ପୂର୍ଣ୍ଣଚ୍ଛେଦ । ଘର ମାଲିକ ଆଉ ମନଇଚ୍ଛା ଘର ଭଡ଼ା ବଢ଼ାଇ ପାରିବେ ନାହିଁ କି ଜବରଦସ୍ତି ଘର ଖାଲି କରାଇ ପାରିବେ ନାହିଁ । ପ୍ରାୟ ୫ଦଶନ୍ଧିର ପୁରୁଣା ଆଇନ ପରିବର୍ତ୍ତେ ରାଜ୍ୟ ସରକାର ‘ଓଡ଼ିଶା ଅର୍ବାନ ଏରିଆ ରେଣ୍ଟାଲ କଣ୍ଟ୍ରୋଲ ଆକ୍ଟ-୨୦୨୬’ ଆଣିବାକୁ ଯାଉଛନ୍ତି । ଯାହାକି ଉଭୟ ଘରମାଲିକ ଓ ଭଡ଼ାଟିଆଙ୍କୁ ଆଇନଗତ ସୁରକ୍ଷା ଯୋଗାଇଦେବ ।

ପ୍ରଚଳିତ ‘ଦି ଓଡ଼ିଶା ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ, ୧୯୬୭' ଓ ଏହାର ୧୯୭୪ ସଂଶୋଧନ ଆଇନକୁ ରଦ୍ଦ କରି ଏହି ନୂତନ ଆଇନକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଯୋଜନା କରିଛନ୍ତି ।ଏହି ନିୟମ ସହରର ସମସ୍ତ ପ୍ରକାରର ଆବାସିକ ଘର, ଦୋକାନ ବଜାର ଓ ସ୍କୁଲ-କଲେଜ ପାଇଁ ଦିଆଯାଉଥିବା ଭଡ଼ାଘର ନିମନ୍ତେ ପ୍ରଯୁଜ୍ୟ ହେବ । କିନ୍ତୁ କଳକାରଖାନା, ହୋଟେଲ, ଲଜ୍ ଓ ଧର୍ମଶାଳା, ସରକାରୀ କ୍ୱାଟର, କମ୍ପାନୀ ଘର, ଧାର୍ମିକ ଅନୁଷ୍ଠାନ ଓ ୱାକଫ୍ ବୋର୍ଡର ସମ୍ପତ୍ତି ନିମନ୍ତେ ଏହି ଆଇନ ଲାଗୁ ହେବ ନାହିଁ । ଅବଶ୍ୟ ଉଭୟ ପକ୍ଷ ଚାହିଁଲେ ପରସ୍ପର ସହମତିରେ ଏହି ଆଇନ ଲାଗୁ କରିପାରିବେ ।

ଏହି ଚିଠା ଆଇନ ଅନୁସାରେ, ଏଣିକି କୌଣସି ବି ଘର ଲିଖିତ ଚୁକ୍ତିନାମା ବା ‘ଟେନାନ୍ସି ଏଗ୍ରିମେଣ୍ଟ' ବିନା ଭଡ଼ାରେ ଦିଆଯାଇପାରିବ ନାହିଁ । ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଦୁଇ ମାସ ମଧ୍ୟରେ ଉଭୟ ଘରମାଲିକ ଓ ଭଡ଼ାଟିଆ ଯୁଗ୍ମ ଭାବେ ଏହାର ସୂଚନା ନିର୍ଦ୍ଧାରିତ ଫର୍ମରେ ସ୍ଥାନୀୟ ରେଣ୍ଟ ଅଥରିଟି' ଓ ସେମାନଙ୍କ ଥାନାର ଅଧିକାରୀଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ ।

କୌଣସି ପରିସ୍ଥିତିରେ ବି ଘରମାଲିକ ଭଡ଼ାଟିଆଙ୍କ ପାଣି, ବିଦ୍ୟୁତ, କିମ୍ବା ଗ୍ୟାସ ଭଳି ଅତ୍ୟାବଶ୍ୟକ ସେବା ବନ୍ଦ କରିପାରିବେ ନାହିଁ । ଏହାର ଉଲ୍ଲଂଘନ ହେଲେ ରେଣ୍ଟ ଅଥରିଟି ଦୁଇ ମାସର ଭଡ଼ା ସମାନ କ୍ଷତିପୂରଣ ଭଡ଼ାଟିଆଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ମିଛ କିମ୍ବା ହଇରାଣ କରିବା ଉଦ୍ଦେଶ୍ୟରେ ଅଭିଯୋଗ କଲେ ଭଡ଼ାଟିଆଙ୍କୁ ଦୁଇଗୁଣ ଜୋରିମାନା ଦେବାକୁ ମଧ୍ୟ ପଡ଼ିବ । ଘରମାଲିକ କିମ୍ବା ପ୍ରପର୍ଟି ମ୍ୟାନେଜର ଯାଂଚ କିମ୍ବା ମରାମତି ପାଇଁ ଘରକୁ ଯିବା ପୂର୍ବରୁ ଅତିକମରେ ୨୪ ଘଣ୍ଟା ପୂର୍ବରୁ ଲିଖିତ କିମ୍ବା ଡିଜିଟାଲ ନୋଟିସ ଦେବେ ଓ ସୂର୍ଯ୍ୟୋଦୟ ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ଘର ଭିତରକୁ ପ୍ରବେଶ କରିପାରିବେ ନାହିଁ ।

ନୂଆ ଆଇନରେ ସିକ୍ୟୁରିଟି ଡିପୋଜିଟ୍ ବା ଅଗ୍ରୀମ ଅର୍ଥରାଶିକୁ ନେଇ ସୀମା ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ଆବାସିକ ଘର ପାଇଁ ସର୍ବାଧିକ ଦୁଇ ମାସର ଭଡ଼ା ଓ ବ୍ୟବସାୟିକ ଘର ପାଇଁ ସର୍ବାଧିକ ଛଅ ମାସର ଭଡ଼ା ସିକ୍ୟୁରିଟି ଭାବେ ନିଆଯାଇପାରିବ । ଘର ଖାଲି କରିବା ସମୟରେ ବାକିଆ ଦେୟ କାଟିବା ପରେ ଏହି ଅର୍ଥ ତୁରନ୍ତ ଫେରସ୍ତ କରିବାକୁ ପଡ଼ିବ । ଘରଭଡ଼ା ବୃଦ୍ଧି କେବଳ ଚୁକ୍ତିନାମାର ସର୍ତ୍ତ ଅନୁଯାୟୀ ହେବ । ଯଦି ଘରମାଲିକ କିଛି ବଡ଼ ଧରଣର ସଂଶୋଧନ କିମ୍ବା ନିର୍ମାଣ କାର୍ଯ୍ୟ କରନ୍ତି, ତେବେ କାମ ସରିବାର ଏକ ମାସ ପରେ ପରସ୍ପର ସହମତିରେ ଭଡ଼ା ବଢ଼ିପାରିବ ।ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା-ବନ୍ୟା, ବାତ୍ୟା, ଯୁଦ୍ଧ କିମ୍ବା ଭୂମିକମ୍ପ ଯୋଗୁଁ ବାସସ୍ଥାନ ପ୍ରଭାବିତ ହୁଏ, ତେବେ ସେହି ସମୟ ପାଇଁ ଘରମାଲିକ ଭଡ଼ା ମାଗିପାରିବେ ନାହିଁ ଓ ଭଡ଼ାଟିଆଙ୍କୁ ଅତିକମରେ ଏକ ମାସ ପର୍ଯ୍ୟନ୍ତ ସେହି ପୁରୁଣା ସର୍ତ୍ତରେ ରହିବାକୁ ଅନୁମତି ଦେବେ ।

 

Tags: