ଆଜି ଓଡିଶା ଆସିବେ ନୂଆ ରାଜ୍ୟପାଳ, ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ

ଆଜି ଓଡିଶା ଆସିବେ ନୂଆ ରାଜ୍ୟପାଳ, ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ
Samaya Live News Picture
Published On

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ଆସନ୍ତାକାଲି ସକାଳ ୧୧ଟାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ । ବିମାନବନ୍ଦରରୁ ସେ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅକ୍ଟୋବର ୧୮ ତାରିଖ ରବିବାର ସକାଳ ୧୧ଟାରେ ଲୋକଭବନରେ ସେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ ।

ସେ ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତାଙ୍କୁ ସ୍ୱାଗତ କରିବେ । 

ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଶନିବାର ସକାଳ ୧୧ଟା ୩୦ରେ ସେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ସେହିପରି ବିମାନବନ୍ଦରରୁ ରାଜ୍ୟପାଳ ପୁରୀ ଯିବେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ସନ୍ଧ୍ୟାରେ ପୁରୀରୁ ଭୁବନେଶ୍ୱର ଫେରି ରାତି ୭ଟା ୨୫ରେ ଲୋକଭବନରେ ପହଞ୍ଚିବେ । ପୂର୍ବତନ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ ବ୍ରଜ ମୋହନ ରାମ  । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଅକ୍ଟୋବର ୧୨ ତାରିଖରେ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲେ ରାଜ୍ୟପାଳଙ୍କ ଆଗମନ ଓ ଶପଥ ଗ୍ରହଣକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି   ।

Tags: