ପିଲାଙ୍କୁ ଯୋଗାଇ ଦିଆଯିବ ନୂଆ ବହି - ଶିକ୍ଷା ସଚିବ

ପିଲାଙ୍କୁ ଯୋଗାଇ ଦିଆଯିବ ନୂଆ ବହି - ଶିକ୍ଷା ସଚିବ
Samaya Live News Picture
Published On

ଭୁବନେଶ୍ୱର : ତ୍ରୁଟି ର ତର୍ଜମା ଚାଲିଛି , ପିଲାଙ୍କୁ ଯୋଗାଇ ଦିଆଯିବ ନୂଆ ବହି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି ଶିକ୍ଷା ସଚିବଏନ୍. ଥିରୁମାଲା ନାୟକ । ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ । ସେ କହିଛନ୍ତି, ବିଶେଷଜ୍ଞ କମିଟି ତ୍ରୁଟିଗୁଡ଼ିକର ସମୀକ୍ଷା କରୁଛନ୍ତି ଏବଂ ସଂଶୋଧନ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଖୁବଶୀଘ୍ର ସଂଶୋଧିତ ପାଠ୍ୟପୁସ୍ତକର ଡିଜିଟାଲ କପି ବିଭାଗର ଅଧିକୃତ ୱେବସାଇଟରେ ଅପଲୋଡ୍ କରାଯିବ । 

ନୂଆ ବହି ଆସିବା ପର୍ଯ୍ୟନ୍ତ SCERT ପକ୍ଷରୁ ଓସେପା ଜରିଆରେ ଡିଇଓ ମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ଯକୁ ନେଇ ପାଠପଢା ଯିବ । ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ସମସ୍ତଙ୍କ ଅବଗତି ପାଇଁ ବହି ଉପଲବ୍ଧ ହେବ । ତେବେ ବାସ୍ତବରେ ଯେତିକି ତ୍ରୁଟି ଉପରେ ଚର୍ଚ୍ଚା ଆଲୋଚନା ହେଉଛି ସେତିକି ତ୍ରୁଟି ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ । କିଛି ଶଦ୍ଦ, ବନାନକୁ ନେଇ ଭିନ୍ନ ଭିନ୍ନ ଦ୍ଵନ୍ଦ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶଦ୍ଦ ଓ ବ୍ୟାକରଣ ଗତ ତ୍ରୁଟିର ତର୍ଜମା ହେଉଛି । ଯେତେ ଶୀଘ୍ର ସମ୍ଭବ ଆମେ ପିଲାଙ୍କୁ ବହି ଯୋଗାଇ ଦେବାକୁ କାମ କରୁଛୁ ବୋଲି କହିଛନ୍ତି ଏନ୍. ଥିରୁମାଲା ।

ସେପଟେ, ପାଠ୍ୟପୁସ୍ତକ ତ୍ରୁଟି ଘଟଣା ଲୋକଲୋଚନକୁ ଆସିବାର ୨ ସପ୍ତାହରୁ ଅଧିକ ଦିନ ହେଲାଣି, ଅଥଚ ଏବାବଦରେ ବିଭାଗ କ’ଣ ପଦକ୍ଷେପ ନେଉଛି କି ନାହିଁ ତାର କୌଣସି ସ୍ପଷ୍ଟତା ସାମ୍ନାକୁ ଆସୁନି । ମୁଖ୍ୟମନ୍ତ୍ରୀ ତ୍ରୁଟି ପ୍ରସଙ୍ଗକୁ ଗୁରୁତର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସତ ହେଲେ ବିଭାଗ ଏବାବଦରେ ସେତେଟା ଗୁରୁତ୍ୱ ନଦେବା ପରି ମନେ ହେଉଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ତ୍ରୁଟିଯୁକ୍ତ ବହି ଫେରସ୍ତ ହୋଇ ନୂଆ ବହି ପିଲାଙ୍କୁ ଯୋଗାଇ ଦିଆଯିବ ବୋଲି କହିଥିବା ବେଳେ ଗତକାଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାକୁ ଖଣ୍ଡନ କରି କହିଥିଲେ ଏତେ ଶୀଘ୍ର ବହି ଯୋଗାଇବା ସମ୍ଭାବନ ନୁହେ । ଏହା ବଦଳରେ ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ମାନଙ୍କୁ ସଂଶୋଧନ ପୁସ୍ତିକା ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ବହି ଦ୍ଵନ୍ଦ ଦୂର ହେବା ପରିବର୍ତ୍ତେ ଚାଲିଛି ବୟାନବାଜି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଶିକ୍ଷକ ଏବଂ ଛାତ୍ରଛାତ୍ରୀ ।

Tags: