ଖାଇବା ମାଗିବାରୁ ନାବାଳିକାଙ୍କ ଉପରକୁ ଗରମ ଚା' ଫୋପାଡିଲେ ପଡୋଶୀ
କାମାକ୍ଷାନଗର : ମରିଗଲାଣି ମାନବିକତା । ଖାଇବା ବଦଳରେ ନାବାଳିକାଙ୍କୁ ଗରମ ଚା' ମାଡ଼ । ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର -୭ ନୋହୋରା ସାହିରେ ଘଟିଛି ଏପରି ଅମନବୀୟ କାଣ୍ଡ । ଡହ ଡହ ଖରାରେ ମା' ଛେଉଣ୍ଡ ନାବାଳିକା ଜଣକ ରାସ୍ତାରେ ପଡି ଛଟପଟ ହେଉଥିବା ଦୃଶ୍ୟ ମୋବାଇଲ ରେ ଘୁରି ବୁଲୁଥିବା ଦେଖା ଯାଇଥିଲା ।
ସୂଚନାନୁସାରେ , ନୋହୋରା ସାହିର ଖୀରିଧର ବେହେରାଙ୍କ ସାନ ଝିଅ ନିଜ ପଡ଼ୋଶୀଙ୍କୁ କିଛି ଖାଇବାକୁ ମାଗିଥିଲେ । ଏହି କଥାରେ ରାଗିଯାଇ ମହିଳା ଜଣଙ୍କ ପିଉଥିବା ଗରମ ଚା’କୁ ନାବାଳିକାଙ୍କ ଉପରକୁ ଫିଙ୍ଗି ଦେଇଥିଲେ । ପାଖରେ ଥିବା ୯ ବର୍ଷର ବଡ଼ ଭଉଣୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଖଣ୍ଡିଆଖାବରା କରିଥିଲା ମହିଳା । ଏହି ସମସ୍ତ ଘଟଣାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ସ୍ଥାନୀୟ କାଉନସିଲର ନରେନ୍ଦ୍ର ସାହୁ ପହଞ୍ଚି ଉଭୟ ନାବାଳିକା ଭଉଣୀଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ନାବାଳିକା ଦୁଇ ଜଣଙ୍କ ମା’ ୪ ବର୍ଷ ହେବ ଘର ଛାଡ଼ି କେଉଁଆଡେ ପଳାଇଥିବା ବେଳେ ବାପା ଦିନ ମଜୁରିଆ ହୋଇଥିବା କାରଣରୁ ଘରେ ଉପସ୍ଥିତ ନଥିଲେ ।



