ଏସଆଇଆର କାର୍ଯ୍ୟରେ ଅବହେଳା , ୨ ବିଏଲଓ ନିଲମ୍ବିତ
ବୌଦ୍ଧ : ନିର୍ବାଚନ କାର୍ଯ୍ୟରେ ସାମାନ୍ୟତମ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଏସଆଇଆର କାର୍ଯ୍ୟରେ ଅବହେଳାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ । ବୌଦ୍ଧ ଜିଲ୍ଲାରେ ୨ ବିଏଲଓ ଙ୍କୁ ନିଲମ୍ବନ କରାଯାଇଛି । ଭୋଟର ତାଲିକାର ସଂଶୋଧନ (SIR) କାର୍ଯ୍ୟରେ ଅନୁପସ୍ଥିତ ଓ ଅବହେଳା ଅଭିଯୋଗରେ ୧୭୬- ବୁଥ ର ଗଣ୍ଡିସର ବିଏଲଓ ବିରେନ୍ଦ୍ର ବେହେରା ଓ ୧୬୯ ବୁଥ -ଖରର୍ଭୁଇଁ ବିଏଲଓ ଶିବ ଚନ୍ଦ୍ର ଗାଆଣଙ୍କୁ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ତୁରନ୍ତ ନିଲମ୍ବନ କରିଛନ୍ତି । ବାରମ୍ବାର ନୋଟିସ୍ ସତ୍ତ୍ୱେ ସେମାନେ କାର୍ଯ୍ୟରେ ଯୋଗ ନଦେବାରୁ ଏହି ପଦକ୍ଷେପ ନିଆଯାଇଛି ।
ବିରେନ୍ଦ୍ର ବେହେରା ୧୭୬-ଗଣ୍ଡିସର ମତଦାନ କେନ୍ଦ୍ରରେ ଏବଂ ଶିବ ଚନ୍ଦ୍ର ଗାଆଣ ୧୬୯-ଖରଭୂଇଁ ମତଦାନ କେନ୍ଦ୍ରରେ ବିଏଲଓ ଭାବେ ଦାୟିତ୍ୱରେ ଥିଲେ । ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) କ୍ଷେତ୍ର ପରିଦର୍ଶନ ସମୟରେ ଏହି ଦୁଇ ଜଣଙ୍କ ଅନୁପସ୍ଥିତି ରହିଥିଲେ ।
ବୌଦ୍ଧ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସୂଚନା ଅନୁଯାୟୀ, ଏଭଳି ଅନଧିକୃତ ଅନୁପସ୍ଥିତି ଭୋଟର ତାଲିକାର ସଠିକତା ଓ ନିର୍ଭରଯୋଗ୍ୟତା ରକ୍ଷାରେ ବାଧା ସୃଷ୍ଟି କରୁଛି । ଏହା Representation of the People Act, 1950ର ଧାରା ୩୨ର ସ୍ପଷ୍ଟ ଉଲ୍ଲଂଘନ ଅଟେ । ତେଣୁ ଉଭୟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମାବଳୀ ଅନୁଯାୟୀ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଏହାସହ ଜିଲ୍ଲାର ସମସ୍ତ ବିଏଲଓ ଏବଂ ସୁପରଭାଇଜରଙ୍କୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରଶାସନ ତରଫରୁ କଡ଼ା ଚେତାବନୀ ଦିଆଯାଇଛି ।




