ନୟାଗଡ଼ ଛେନା ପୋଡ଼କୁ GI ଟ୍ୟାଗ
ଭୁବନେଶ୍ୱର : ଓଡିଶା ବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ନୟାଗଡ଼ ଛେନାପୋଡ଼କୁ ମିଳିବ ଭୌଗୋଳିକ ସୂଚକ GI ଟ୍ୟାଗ୍ ମାନ୍ୟତା । ଏନେଇ ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ। ଛେନାପୋଡ଼ ପାଇଁ GI Tag ଆବେଦନ ପଞ୍ଜିକୃତ ହୋଇସାରିଛି । ଏ ବିଷୟରେ ଆଲୋଚନା ପାଇଁ କନସଲଟେଟିଭ୍ ଗ୍ରୁପ୍ ମିଟିଂ ଆସନ୍ତା ମେ ୨୮ ଏବଂ ୨୯ ହେବ । ବୈଠକ ପରେ ‘Geographical Indications of Goods (Registration and Protection) Act, 1999’ ଅନୁଯାୟୀ GI ଟ୍ୟାଗ୍ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ପୀୟୂଷ ଗୋୟଲ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ଏନେଇ ମନ୍ତ୍ରୀ ପିୟୂଷ ଗୋୟାଲଙ୍କୁ ଚିଠି ଲେଖିଥିଲେ ସାଂସଦ ସମ୍ବିତ ପାତ୍ର।
ଓଡ଼ିଶାର ସାଂସ୍କୃତିକ ପରମ୍ପରା ଏବଂ ବିଶେଷ କରି ନୟାଗଡ଼ ଅଞ୍ଚଳ ସହିତ ଛେନାପୋଡ଼ର ଗଭୀର ସମ୍ପର୍କ ରହିଛି। ତାହାକୁ ବର୍ତ୍ତମାନ ସ୍ବୀକୃତି ମିଳିବାକୁ ଯାଉଛି । GI Tag ହେଉଛି ଏକ ସ୍ୱତନ୍ତ୍ର ପରିଚୟ, ଯାହା କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଉତ୍ପାଦକୁ ଦର୍ଶାଏ । ଶନିବାର ନୟାଗଡ ଛେନା ପୋଡର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନା ପୋଡ ଦିବସ ଭାବେ ପାଳନ କରାଯାଇଥିଲା ।



