ହିଞ୍ଜିଳି ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର : ହିଞ୍ଜିଳିରେ ଗର୍ଭବତୀଙ୍କୁ ଅମାନୁଷିକ ଭାବରେ ହତ୍ୟା । ଘଟଣାକୁ ତୀବ୍ର ନିନ୍ଦାକରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ଲେଖିଛନ୍ତି ମୋ ନିର୍ବାଚନ ମଣ୍ଡଳୀରେ ଜଘନ୍ୟ କାଣ୍ଡ ଘଟିଛି । ୩ବର୍ଷର ଝିଅ ଆଗରେ ତା'ମା'କୁ ନିର୍ମମ ହତ୍ୟା କରାଯାଇଛି । ଏହି ଅମାନବୀୟ ଘଟଣାରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ନବୀନ ।
ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ନ୍ୟାୟ ଦାବିରେ ନିଜ ୩ବର୍ଷ ଝିଅ ସହ ୪ମାସର ଗର୍ଭବତୀ ପତ୍ନୀ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ ସ୍ୱାମୀଙ୍କ ଭାଇ ମହିଳାଙ୍କୁ ନୃଶଂସ ଭାବରେ ହତ୍ୟା କରିଥିଲେ । ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ସେହିପରି ଘଟଣାର ସାକ୍ଷୀ ହୋଇଥିବା ୩ ବର୍ଷର ଶିଶୁକୁ ତୁରନ୍ତ ରାଜ୍ୟ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି।
ଏହାସହ ମହିଳା ଧାରଣାରେ ବସିଥିବା ସମୟରେ ପୁଲିସ ପକ୍ଷରୁ ପୂର୍ବରୁ କାହିଁକି ପ୍ରତିରୋଧ ମୂଳକ ପଦକ୍ଷେପ ନିଆ ଯାଇନଥିଲା, ସେନେଇ ମଧ୍ୟ ତଦନ୍ତ କରିବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସେ କହିଛନ୍ତି ।
ସେପଟେ, ହିଞ୍ଜିଳି ଘଟଣାକୁ ଗୁରୁତର ଅପରାଧ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଏହା ଏକ ସମ୍ବେଦନଶୀଳ ଘଟଣା ଘଟଣାର ତଦନ୍ତ କରୁଛି ପୋଲିସ। ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ୩ବର୍ଷ ଝିଅର ଥଇଥାନ କଥା ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ ।



