ଏମଏମଡିଆର ସଂଶୋଧନ ବିଲ୍ - ୨୦୨୬ ,ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ
‘ଦଳ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’
ଭୁବନେଶ୍ୱର: MMDR ବିଲ-୨୦୨୬କୁ ନେଇ ସମସ୍ତ ବିଜେ ସାଂସଦଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିକଟରେ ଲୋକସଭାରେ ପାରିତ ହୋଇଥିବା ଖଣି ଏବଂ ଖଣିଜ ଦ୍ରବ୍ୟ (ଉନ୍ନୟନ ଏବଂ ନିୟନ୍ତ୍ରଣ) ବା ଏମଏମଡିଆର (MMDR) ସଂଶୋଧନ ବିଲ୍, ୨୦୨୬ କୁ ସମର୍ଥନ କରିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଏହି ଚିଠିରେ ଦୃଢ଼ ଅନୁରୋଧ କରିଛନ୍ତି ।
ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଛଡ଼ାଇ ନିଆଯାଇଛି । MMDR ସଂଶୋଧନ ପ୍ରତ୍ୟାହାର ପାଇଁ ବିଜେପି ସାଂସଦମାନେ ଦାବି କରନ୍ତୁ । ଆଗାମୀ ପିଢି ପାଇଁ ଏହି ଆଇନର ପରିଣାମ ବିଷୟରେ ଥରେ ଚିନ୍ତା କରନ୍ତୁ । ଅଗଷ୍ଟ ୧୩ରେ ଲୋକସଭାରେ MMDR ସଂଶୋଧନ ବିଲ୍ ପାସ୍ ହେବା ଓଡ଼ିଶା ପାଇଁ କଳା ଦିନ l ଏହାଦ୍ୱାରା ଓଡ଼ିଶାର ବାର୍ଷିକ ୧୨ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହେବ । ବର୍ତ୍ତମାନ ‘ଦଳ ପାଇଁ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’। ଓଡ଼ିଶାର କ୍ଷମତାକୁ ପୁନଃସ୍ଥାପନ ପାଇଁ ସାଂସଦମାନେ ସଂସଦରେ ସ୍ୱର ଉଠାନ୍ତୁ ।
ରାଜ୍ୟ ଉପରେ ଏହାର ବ୍ୟାପକ ପ୍ରତିକୂଳ ପ୍ରଭାବ ଥିଲେ ମଧ୍ୟ ସଂସଦରେ ମାତ୍ର ୧୦ ମିନିଟରୁ କମ୍ ସମୟ ଆଲୋଚନା କରାଯାଇ ଏହି ବିଲକୁ ତରବରିଆ ଭାବେ ଗୃହୀତ କରାଯାଇଥିଲା। ଭାରତର ମୋଟ ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶା ଯୋଗାଉଥିବା ବେଳେ ଏହି ନୂଆ ଆଇନ ଦ୍ୱାରା ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ସେ ଦାବି କରିଛନ୍ତି।
ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସ୍ମରଣ କରାଇ ବିଜେପି ସାଂସଦମାନଙ୍କୁ ସେମାନଙ୍କର 'ବିବେକର ଡାକ ଶୁଣିବାକୁ' ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, 'ଇତିହାସ ଆପଣଙ୍କୁ ଆପଣଙ୍କ ଦଳୀୟ ଆନୁଗତ୍ୟ ପାଇଁ ନୁହେଁ, ବରଂ ଜରୁରୀ ସମୟରେ ଓଡ଼ିଶା ସ୍ୱାର୍ଥ ପାଇଁ କିପରି ଠିଆ ହୋଇଥିଲେ ସେଥିପାଇଁ ମୂଲ୍ୟାୟନ କରିବ।' ଶେଷରେ ରାଜ୍ୟର ଅଧିକାର କ୍ଷୁଣ୍ଣ କରୁଥିବା ଏହି ବିଲକୁ ତୀବ୍ର ବିରୋଧ କରିବା ଏବଂ ଏହାକୁ ପ୍ରତ୍ୟାହାର କରିବା ଦିଗରେ ଲଢ଼େଇ କରିବାକୁ ସେ ସମସ୍ତ ଓଡ଼ିଆ ବିଜେପି ସାଂସଦମାନଙ୍କୁ ନିବେଦନ କରିଛନ୍ତି।




