ବ୍ରହ୍ମପୁର ଘଟଣାକୁ ନେଇ ନବୀନଙ୍କ ଉଦବେଗ ପ୍ରକାଶ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଛି ଅରାଜକତା। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଗଲାଣି। ବିଚ ରାସ୍ତାରେ ଅପରାଧ ଘଟାଇ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ । ବାଲିଅନ୍ତା ଘଟଣା ମନରୁ ନ ଯାଉଣୁ ଗତକାଲି ସନ୍ଧ୍ୟାରେ ବ୍ରହ୍ମପୁରରେ ଘଟିଛି ଅନୁରୂପ ଘଟଣା । ସନ୍ଧ୍ୟାବେଳେ ରାସ୍ତା ଉପରେ ଯୁବକ, ଯୁବତୀଙ୍କୁ ଠେଙ୍ଗାରେ ନିର୍ଘାତ ପିଟିଛନ୍ତି ଦୁର୍ବୁତ୍ତ । ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି,ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି । ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି । ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି।
। ଏହା ସହ କହିଛନ୍ତି, ଘଟଣା ଦେଖିଲେ ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି । ପୋଲିସ ପ୍ରଶାସ ଏବଂ ଆଇନ କାନୁନର ବ୍ୟବସ୍ଥା କୁଆଡେ ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ? ମିଛ ବାହାସ୍ଫୋଟରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର ବୋଲି କହିଛନ୍ତି ନବୀନ ।
ସୂଚନାନୁସାରେ, ଗତକାଲି ରାତି ୯ଟା ସମୟରେ ବ୍ରହ୍ମପୁରର ଏକ ଜନଗହଳି ପୂର୍ଣ୍ଣ ରାସ୍ତାରେ ଗଜପତି ଅଞ୍ଚଳର ଉମେଶ ରଥ ଏବଂ ତାଙ୍କ ବାନ୍ଧବୀ ଏକ ଦୋକାନରେ ମୋମୋ ଖାଉଥିବାବେଳେ ହଠାତ କିଛି ଅସାମାଜିକ ଯୁବକ ଏକ ବାଇକରେ ଆସି ସେମାନଙ୍କୁ ନିର୍ଘାତ ପିଟିଥିଲେ । ଏହି ସମୟରେ ଉମେଶ ତଳେ ପଡିଯାଇଥିବାବେଳେ ତାଙ୍କୁ ଠେଙ୍ଗାରେ ପିଟି ଚାଲିଥିଲେ କିଛି ଯୁବକ । ଏପରିକି ଉମେଶଙ୍କ ବାନ୍ଧବୀ ତାଙ୍କୁ ରକ୍ଷା କରିବାକୁ ଯାଇ ମଧ୍ୟ ଆକ୍ରଣର ଶିକାର ହୋଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଦିନକ ପୂର୍ବରୁ ଜଣେ ଅପରାଧୀକୁ ପୁଲିସ ଏନ୍କାଉଣ୍ଟର କରିଛି । ସୋମବାର ସନ୍ଧ୍ୟାରେ ପୁଣି ଆରମ୍ଭ ହୋଇଛି ଅପରାଧୀଙ୍କ ଆତଙ୍କରାଜ । ତେବେ ପୂର୍ବ ଶତ୍ରୁତାରୁ ଉମେଶ ଉପରେ ଆକ୍ରମଣ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଉମେଶଙ୍କ ନାଁରେ ବିଭିନ୍ନ ଥାନାରେ ଶତାଧିକ କେଶ ରହିଥିବା ସୂଚନା ମିଳିଛି ।




