ଧର୍ମଶାଳା ଗଣ୍ଡଗୋଳକୁ ନିନ୍ଦା କଲେ ନବୀନ
ଭୁବନେଶ୍ୱର/ଯାଜପୁର : ପ୍ରବଳ ଜାଡରେ ସାରା ରାଜ୍ୟ କଲବଲ ହେଉଥିବାବେଳେ ଉଷ୍ମ ହେଉଛି ରାଜନୀତି ପାଣିପାଗ । ଯାଜପୁରରୁ ରାଜଧାନୀ ଭୁବନେଶ୍ୱର ଯାଏଁ ରାଜନୀତିର ତାତି ଦେଖିବାକୁ ମିଳିଛି । ଗତକାଲି ଦିନ ଦ୍ବିପହରେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା କରିଥିଲେ ବର୍ତ୍ତମାନ ବିଜେପି ବିଧାୟକ ଥିବା ହିମାଂଶୁ ସାହୁଙ୍କର କିଛି ସମର୍ଥକ। ଏହାସହ କିଛି ସମର୍ଥକଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ । ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଥିଲେ । ଏପରିକି ମହିଳାଙ୍କୁ ଖରାପ ଭାଷରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ବିଜେଡି ସମର୍ଥକ । ଏନେଇ ବିଜେଡି ୧୦୦ରୁ ଅଧିକ ଲିକୁ ସାହୁଙ୍କ ସମର୍ଥକଙ୍କ ନାଁରେ ଏତାଲା ଦେଇଛି । ଉଭୟ ପକ୍ଷରୁ ଯାଜପୁରରୁ ନେଇ ରାଜଧାନୀ ଯାଏଁ ରାତି ତମାମ ଧାରଣା ଦିଆଯାଇଛି ।
ଧର୍ମଶାଳାରେ ବିଧାୟକ ହିମାଂଶୁ ଶେଖର ସାହୁ ଓରଫ୍ ଲିକୁଙ୍କ ଏବଂ ବିଜେପି କର୍ମୀମାନେ ଧାରଣାରେ ବସିଛନ୍ତି । ସମର୍ଥକମାନେ ଜେନାପୁର ଥାନା ଘେରାଉ କରିଛନ୍ତି । ଆକ୍ରମଣକାରୀକୁ ଗିରଫ କରିବାକୁ ଗତକାଲି ରାତିରୁ ଧାରଣା ଦିଆଯାଇଛି ।
ସେପଟେ,ଏହି ଘଟଣାରେ ଗତ ରାତିରୁ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ସାମ୍ନାରେ ବିଜେଡି କର୍ମୀଙ୍କ ଧାରଣା ଚାଲୁ ରହିଛି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଗିରଫ ଦାବିରେ ସାରା ରାତି ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣାରେ ବସିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ସମର୍ଥକ ।
ଅନ୍ୟପଟେ ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିବା ସହ ବିଜେପି ସରକାର ଓ ପୁଲିସ ପ୍ରଶାସନକୁ ନିଶାଣ କରିଛନ୍ତି ନବୀନ । ସେ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଦିନ ଦ୍ଵିପହରେ ଏହି ଘଟଣା ଘଟିଥିଲେ ବି ପୁଲିସ ପ୍ରଶାସନ ଓ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏ ପର୍ଯ୍ୟନ୍ତ କାହା ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ରାଜ୍ୟରେ ଅରାଜକତା ଓ ଗୁଣ୍ଡରଜକୁ ବିଜେପି ସରକାର ପ୍ରଶ୍ରୟ ଦେଇ କ’ଣ ଦର୍ଶାଇବାକୁ ଚାହୁଁଛି ? ଶାନ୍ତିପ୍ରିୟ ଓଡିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ । ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ଦାବି କରିଛନ୍ତି ।




