ବିଜୁ - ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ କୁ ନେଇ ସ୍ପଷ୍ଟୀକରଣ ରଖିଲେ ନବୀନ
ପ୍ରଶ୍ନ ଉଠାଇଲେ ବିଜେପି ନେତା ସନ୍ତୋଷ ଖଟୁଆ ଓ ବାବୁ ସିଂ
ଭୁବନେଶ୍ୱର : ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଲେ ନବୀନ ପଟ୍ଟନାୟକ । ବିଜୁ - ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ କୁ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଲେ 'ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ’ । ‘ବିଜ୍ଞାନର ପ୍ରଚାରପ୍ରସାର ପାଇଁ ୩୦ବର୍ଷ ବୟସରେ କଳିଙ୍ଗ ଯୁନେସ୍କୋ ପୁରସ୍କାର ଦାନ କରିଥିଲେ।
ସେ ନିଜ ଜୀବନରେ ଅନେକ ଭଲ କାମ କରିଛନ୍ତି । ମୁଁ, ମୋ ଭାଇ ଓ ଭଉଣୀ କଟକ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ପାଇଁ ଦାନ କରିଥିଲୁ । ଯେବେ ମୁଁ ମୁମ୍ବାଇ ଯାଇଥିଲି ବେକ ଅପରେସନ ଅପରେସନ ପାଇଁ, ତା ପୂର୍ବରୁ ପ୍ରଥମେ ମୁଁ ଦିଲ୍ଲୀ ଯାଇଥିଲି । ସେଠି ଅନେକ ବଡ଼ ବଡ଼ ଓକିଲ ଓ CA ଙ୍କୁ ଭେଟିଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି ।
ଏହି ଟ୍ରଷ୍ଟ ଓଡ଼ିଶାବାସୀଙ୍କ ହିତ ପାଇଁ ଖୋଲିଲି । ମୋ ନିଜ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି,ବିଜେଡି କିମ୍ବା ଅନ୍ୟ ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ । ଗଣମାଧ୍ୟମ ନେଗେଟିଭ ଷ୍ଟୋରି କରୁଥିବାରୁ, ମୁଁ ଏହି ସ୍ପଷ୍ଟୀକରଣ ରଖିଲି ।
ସେପଟେ ଆଜି ବିଧାନସଭା ଶୂନ୍ୟକାଳରେ ବିଜୁ ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ କଥା ଉଠାଇ ଥିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ରାଜ୍ୟସଭାକୁ ସଂତୃପ୍ତ ମିଶ୍ର ଯିବା ପରେ ସେ ଏକ ରାଜନୈତିକ ଫାଉଣ୍ଡେସନର ସମ୍ପାଦକ ଥିବା ଜଣାପଡ଼ିଲା । ଓଡ଼ିଶାର ଅର୍ଥକୁ ଲୁଟ ପାଇଁ ଏହା ଗଠନ କରାଯାଇଛି । ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଏହି ଫାଉଣ୍ଡେସନ ଗଠନ ହୋଇଥିବା କଥା କୁହାଯାଇଛି । କିନ୍ତୁ ଏହି ଫାଉଣ୍ଡେସନ କୁ ରାଜ୍ୟ ବାହାରେ କାହିଁକି ରେଜିଷ୍ଟ୍ରେସନ କରାଗଲା । ବାଇ -ଲ' ଅନୁସାରେ ଟ୍ରଷ୍ଟ ର ପାଣ୍ଡିଆନ ହେଉଛନ୍ତି ସର୍ବେସର୍ବା । କିନ୍ତୁ ସିଏ ରାଜନୀତିରୁ ସନ୍ୟାସ ନେଇଥିବା କଥା କହିସାରିଛନ୍ତି । ତେବେ କାହା ସ୍ୱାର୍ଥ ପାଇଁ ଟ୍ରଷ୍ଟ କାମ କରିବ । ବିଜୁ ଏବଂ ନବୀନ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି । ଓଡ଼ିଶାର ଅଗଣିତ ଲୋକେ ତାଙ୍କୁ ବର୍ଷ ବର୍ଷ ଧରି ଭଲ ପାଇବା ଦେଇଛନ୍ତି। ଏଥିରେ ସମ୍ପାଦକ ଥିବା ବ୍ୟକ୍ତି ଏବେ ରାଜନୈତିକ ବ୍ୟକ୍ତି ଏବଂ ଜଣେ ସାଂସଦ। ନିଜେ ସଂତୃପ ମିଶ୍ର କହିଛନ୍ତି ସେମିତି କିଛି ଫାଉଣ୍ଡେସନ ନାହିଁ । ତାଙ୍କ ନାଁରେ ଯଦି ଟ୍ରଷ୍ଟ ଗଠନ କରାଯାଇଛି ତାହା ଓଡ଼ିଶା ହିତରେ କରାନଯାଇ ଦିଲ୍ଲୀରେ କାହିଁକି କରାଯାଇଛି । ଏହାର ଫଣ୍ଡ ଏଯାଏଁ ପବ୍ଲିସ କରିବା ଏବଂ କାହା ସ୍ବାର୍ଥରେ ଏହା ଗଠନ ହୋଇଛି ତାହା ସ୍ପଷ୍ଟ ହେବା ଦରକାର । ବିରୋଧୀ ଦଳ ନେତାଙ୍କୁ ନିଜ ଦଳର ବିଧାୟକ ଏ ନେଇ ପଚାରି ଥିଲେ ବି ସେ ମନା କରିଥିଲେ ।
ସେହିପରି ବିଜେପି ବିଧାୟକ ବାବୁ ସିଂ ଫାଉଣ୍ଡେସନକୁ ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଦିଲ୍ଲୀରେ ବିଜୁ-ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ ନାଁରେ ଟ୍ରଷ୍ଟ ଖୋଲା ଯାଇଛି। ହଜାର ହଜାର କୋଟି ଟଙ୍କା ହଡପ ପାଇଁ ଯୋଜନା ଚାଲିଛି। ରାଜ୍ୟସଭା ନିର୍ବାଚନରେ ଏହି ଟଙ୍କା ଖଟେଇଥିଲେ। ବିଜେଡିର ସର୍ବେସର୍ବା ଥିବା ସନ୍ୟାସୀ ଟଙ୍କା ହଡପ ପାଇଁ ଏହି ଫାଉଣ୍ଡେସନ ଗଠନ କରିଛନ୍ତି। ଏକଥାକୁ ବିଭ୍ରାନ୍ତ କରିବା ପାଇଁ ବିଜେଡି କଂଗ୍ରେସ ଏକାଠି ହୋଇଛନ୍ତି।



