ମୋ ବିଚାରଧାରାରେ କଂଗ୍ରେସ ରହିଛି - ମୋକିମ

ମୋ ବିଚାରଧାରାରେ କଂଗ୍ରେସ ରହିଛି - ମୋକିମ
Samaya Live News Picture
Published On

କଟକ : କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିସ୍କୃତ ପରେ ମୁହଁ ଖୋଲିଲେ ମୋକିମ । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯାହା କହିଛି ଅନୁଶୋଚନା ନାହିଁ । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି । କଂଗ୍ରେସ ମୋ ବିଚାରଧାରାରେ ଅଛି । ସୋନିଆଙ୍କ ଚିଠି ପଛରେ ରାହୁଲଙ୍କ ପ୍ରେରଣା ଥିଲା I ରାହୁଲ ଗାନ୍ଧୀ ଆମର ସର୍ବୋଚ୍ଚ ନେତା ଥିଲେ ତାଙ୍କୁ ଅନୁସରଣ କରୁଥିଲି । କାହାକୁ ନ ଡରି ନିଜ ପକ୍ଷ ରଖିବାକୁ ରାହୁଲ ପ୍ରେରଣା ଦେଇଥିଲେ । ସେଥିପାଇଁ ନଡରି ନିଜର ମତ ରଖିଥିଲି । କଂଗ୍ରେସ ସହ ଅଛି, ଥିଲି ଏବଂ ରହିବି । ଦଳକୁ ମୁଁ ଆଇନା ଦେଖାଇବାର ସାହସ ରଖିଛି । ଭାବିଥିଲି ଦଳରେ ସୁଧାର ଆଣିବି କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାକୁ ଗ୍ରହଣ କରୁଛି । ସତ କେହି ଖୋଲିକି କହି ପାରୁ ନଥିଲେ ମୁ କହିଲି । ରାହୁଲ ଭୁଲ କଲେ ବି କହିବି । ଖଡ଼ଗେଙ୍କୁ ୮୩ ବର୍ଷ ,ଦଳ ଲଗାତାର ୩ ଥର ହାରିଲାଣି ଏହା ନିରାଟ ସତ୍ୟ । ତେବେ ସୋଫିଆ ଦଳ ସହିତ ଅଛନ୍ତି, ଯେହେତୁ ସେ ବିଧାୟିକା ସେ ତାଙ୍କ କାମ ଜାରି ରଖିବେ । ଏହା ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସୋଫିଆ ନିଜ ନିଷ୍ପତ୍ତି ନିଜେ ନେବେ, ନିଜ କାର୍ଯ୍ୟପନ୍ଥା ନିଜେ ସ୍ଥିର କରିବେ ।

କଂଗ୍ରେସରୁ ବହିଷ୍କୃତ ହେବା ପରେ ବି ରାଜନୀତି ଜାରି ରଖିବେ ଏବଂ କଟକରେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ମୋକିମ୍‌ । ୨୪ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ । ମୋକିମ୍‌ କହିଛନ୍ତି ଯେ ସମର୍ଥକ, ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି । ଯାହା ଚିଠିରେ କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ ।

ଅନ୍ୟପଟେ ଦଳରୁ ମୋକିମଙ୍କ ବହିଷ୍କାରକୁ ନେଇ ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ନେତା ନରସିଂହ ମିଶ୍ର । ସେ କହିଛନ୍ତି ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି, ତେଣୁ ଏ ବିବାଦରେ କିଛି କହିବିନି । କିନ୍ତୁ ଏହି ନିଷ୍ପତ୍ତି ଉପରେ ଆଉଥରେ ବିଚାର କରିବା ଉଚିତ । କଟକରେ ମୋକିମ ଜଣେ ମଜବୁତ ନେତା ଥିଲେ ତେଣୁ କଟକରେ ପ୍ରଭାବ ପଡିବ  ।

 

Tags: