“ଏମଭି ଓସେନ୍ ୱିନର୍”ଜାହାଜ ବୁଡ଼ି, ୬୦ ଘଣ୍ଟା ପରେ ବି ମିଳୁନି ୨୨ ନାବିକଙ୍କ ପତ୍ତା
ଭୁବନେଶ୍ୱର : ଓଡ଼ିଶା ପାରାଦୀପ ଉପକୂଳ ବଙ୍ଗୋପସାଗରରେ “ଏମଭି ଓସେନ୍ ୱିନର୍” (MV Ocean Winner) ଜାହାଜ ବୁଡ଼ି ଘଟଣା । ୬୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏଯାଏଁ ୨୨ ଜଣ ନାବିକଙ୍କ କୌଣସି ଖୋଜଖବର ମିଳି ପାରୁନାହିଁ । ଭାରତୀୟ ନୌସେନା ଦଳ ଏବଂ ତଟରକ୍ଷୀ ବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଥିବାବେଳେ କୌଣସି ସୁଫଳ ମିଳିପାରି ନାହିଁ । ସେପଟେ କେଉଁ କାରଣ ପାଇଁ ଜାହାଜ ବୁଡ଼ିଲା ତାହା ଉପରେ ମଧ୍ୟ ତର୍ଜମା ଚାଲିଛି । ଜାହାଜଟି ଓଡ଼ିଶାର ପାରାଦୀପ ବନ୍ଦରରୁ ୭୨,୦୦୦ ଟନ୍ ଲୁହାପଥର ବୋଝେଇ କରି ଚୀନ୍ ଅଭିମୁଖେ ଯାଉଥିଲା । ପାରାଦୀପ ଉପକୂଳରୁ ପ୍ରାୟ ୨୯୦ ନଟିକାଲ୍ ମାଇଲ୍ (ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୩୯୬ କିମି) ଦୂରରେ ଥିବା ବେଳେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।
ଏହି ଜାହାଜରେ ସମୁଦାୟ ୨୪ ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରେ ୨୦ ଜଣ ଚୀନ୍ ନାଗରିକ, ୩ ଜଣ ମିଆଁମାର ଏବଂ ଜଣେ ବାଂଲାଦେଶର ନାଗରିକ ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ (Indian Coast Guard) ପକ୍ଷରୁ ତୁରନ୍ତ ସର୍ଚ୍ଚ ଏବଂ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରାଯାଇଛି । ଅନ୍ୟ ଏକ ବାଣିଜ୍ୟିକ ଜାହାଜ ସାହାଯ୍ୟରେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨୨ ଜଣ ଏବେ ବି ନିଖୋଜ ଅଛନ୍ତି ।
ସୂଚନା ପାଇବା କ୍ଷଣି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ମିଳିତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ତଟରକ୍ଷୀ ବାହିନୀ ଜାହାଜ ବରଦ, ଅନମୋଲ ଓ ବିଜିତକୁ ଉର୍ଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ତେବେ ଦୁଇ ଜଣ ନାବିକଙ୍କୁ ଅନ୍ୟ ଏକ ତୈଳବାହୀ ଜାହାଜ ଉଦ୍ଧାର କରିଥିଲା । ତଥାପି ଘଟଣାକୁ ୬୦ ଘଣ୍ଟା ବିତିଥିଲେ ସୁଦ୍ଧା ଅନ୍ୟ ୨୨ ଜଣ ଏବେବି ନିଖୋଜ ଅଛନ୍ତି ।
“ଏମଭି ଓସେନ୍ ୱିନର୍” ୭୩,୦୦୦ ଟନ୍ ଲୁହାପଥର ପରିବହନ କରିବାରେ କ୍ଷମତା ରଖିଥାଏ । ତେବେ ଘଟଣା ଦିନ ୭୨,୦୦୦ ଟନ୍ ଲୁହାପଥର ପରିବହନ କରୁଥିଲା । ଘଟଣାରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସୋସିଆଲ୍ ମିଡିଆ ଏକ୍ସ (X) ରେ ସେ ସୂଚନା ଦେଇ କହିଛନ୍ତି ଯେ, "ଏମ୍ଭି ଓସେନ୍ ୱିନର ଜାହାଜ ଦୁର୍ଘଟଣାଗ୍ରସ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ସମସ୍ତ ଏଜେନ୍ସି ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାର ହୋଇଥିବା ଦୁଇ ଜଣଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି ଏବଂ ଅନ୍ୟ କ୍ରୁ ସଦସ୍ୟମାନଙ୍କ ସୁରକ୍ଷା ପାଇଁ ମୁଁ ପ୍ରାର୍ଥନା କରୁଛି।"
ସୂଚନାନୁସାରେ, ଗତ ୧୭ ବର୍ଷ ତଳେ ପାରଦ୍ୱୀପ ଉପକୂଳରେ ସମାନ ଘଟଣା ଘଟିଥିଲା । ପାରାଦ୍ୱୀପରୁ ଲୁହାପଥର ନେଇ ଯାଉଥିବା ବ୍ଲାକ୍ ରୋଜ୍ ଜାହାଜ ବୁଡ଼ି ଯାଇଥିଲା । ୯ ସେପ୍ଟେମ୍ବର, ୨୦୦୯ ମସିହାରେ ପାରଦ୍ୱୀପ ଉପକୂଳରୁ ମାତ୍ର ୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ଉକ୍ତ ଜାହାଜରେ ୨୩ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଥିଲା । କିନ୍ତୁ ଉପକୂଳରୁ କମ୍ ଦୂରତାରେ ଜାହାଜଟି ବୁଡ଼ି ଥିବାରୁ ୨୬ ଜଣ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଜଣେ ମୁଖ୍ୟ ଯନ୍ତ୍ରୀ ପ୍ରାଣ ହରାଇଥିଲେ ।




