କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ମହମ୍ମଦ ମୋକିମ

କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ମହମ୍ମଦ ମୋକିମ
Samaya Live News Picture
Published On

ଭୁବନେଶ୍ୱର : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ । କଂଗ୍ରେସରୁ ବିଦା ହେଲେ ବାରବାଟୀ ପୂର୍ବତନ କଂଗ୍ରେସ ବିଧାୟକ ତଥା ଦଳର ଟାଣୁଆ ନେତା ମହମ୍ମଦ ମୋକିମ୍‌ । ତାଙ୍କୁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।ଦଳବିରୋଧୀ କାର୍ଯ୍ୟ ପାଇଁ AICC ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ମହମ୍ମଦ ମୋକିମ୍‌ । ଫଳରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମୋକିମ୍‌ଙ୍କୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରସ୍ତାବକୁ ଏଆଇସିସି ଅନୁମୋଦନ । 

ରବିବାର କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ କହିଥିଲେ ପିସିସି ସଭାପତି । ଯିଏ ବିଜେପି ସମ୍ପର୍କରେ ଅଛନ୍ତି ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ । କଂଗ୍ରେସରେ ରହି ଦଳ ବିରୋଧୀ କାର୍ଯ୍ୟ କଲେ ସେମାନଙ୍କ ପାଇଁ ପାର୍ଟିରେ କୌଣସି ସ୍ଥାନ ନାହିଁ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଏ ଦଳକୁ ଆଗକୁ ନେଇଛନ୍ତି । ତେଣୁ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ ।​​​​​​​

ସୂଚନା ଅନୁଯାୟୀ,  ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ସେ ଖୋଲା ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଥିଲେ । ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ,​​​​​​​ ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ରେ ଦଳର ନେତୃତ୍ୱ ମିଳିଛି । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଦଳୀୟ ନେତାଙ୍କ ଠାରୁ ପୂରା ଅଲଗା । ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ । ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ।

ମୋକିମ୍ ଚିଠିରେ ଅସନ୍ତୋଷ ଝାଡି କହିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟରେ ହାରିଛି । ନୂଆପଡ଼ା ଭକ୍ତଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନୈରାଶ୍ୟଜନକ । ନିଜ ସଂସଦୀୟ କ୍ଷେତ୍ର ତାଙ୍କୁ ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ । ସେ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ବ ଦେବା ଅସମ୍ଭବ ବ୍ୟାପାର । ଏହାସହ ମୋକିମ୍ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଆଜିର ଦିନରେ କଂଗ୍ରେସକୁ ପୁନର୍ଜୀବନ ଦରକାର । ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ବ ଦରକାର ବୋଲି ଚିଠିରେ ମୋକିମ୍ ଉଲ୍ଲେଖ କରିଥିଲେ । 

ଅନ୍ୟପଟେ ମୋକିମଙ୍କ ଚିଠି ରାଜନୀତିକୁ ବରିଷ୍ଠ ନେତା ଜୟଦେବ ଜେନା, ସୁର ରାଉତରାୟ, ଅନନ୍ତ ସେଠୀ ପ୍ରମୁଖ ନାପସନ୍ଦ କରିଛନ୍ତି ।

Tags: