ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ
ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ନୂଆ ବର୍ଷରେ ନୂଆ ମୁଖ୍ୟ ଶାସନ ସଚିବ ପାଇବ ରାଜ୍ୟ । ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ଶ୍ରୀମତୀ ଅନୁ ଗର୍ଗ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ପହିଲାରୁ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ ଅନୁ । ତାଙ୍କର କାର୍ଯ୍ୟକାଳ ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ ରହିବ । ସେ ଏବେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ୩୧ରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ଅନୁ ଗର୍ଗଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ଗତ ମାର୍ଚ୍ଚ ମାସରେ ସେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ମନୋଜ ଆହୁଜା ।
ନୂଆ ଶାସନ ସଚିବ ନେଇ ଚାରି ଜଣ ଆଇଏସଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ଅନୁ ଗର୍ଗଙ୍କୁ ନୂଆ ଦାୟିତ୍ବ ମିଳିଛି । ୧୯୯୧ ବ୍ୟାଚର ଆଇଏଏସ୍ ଅଫିସର ଝାରସୁଗୁଡାର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ କଳାହାଣ୍ଡି ଉପ ଜିଲ୍ଲାପାଳ ଓ ଏଡିଏମ୍ ଦାୟିତ୍ବ ତୁଲାଇବା ପରେ ୧୯୯୬ ମସିହାରେ ବରଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ । ସମ୍ବଲପୁର ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ଅନୁ । ୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ଉପ ଆୟୁକ୍ତ କମିଶନର ଭାବେ କାମ କରିଛନ୍ତି । ୨୦୦୨ରୁ ୨୦୧୨ ଯାଏଁ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପଦବୀରେ ଦାୟିତ୍ବ ତୁଳାଇଥିଲେ । ୨୦୧୨ରୁ ୨୦୧୫ ଯାଏଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ବ ତୁଳାଇଥିଲେ ଅନୁ ।
୨୦୧୭ରେ ଓଡ଼ିଶା ଫେରିବା ପରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ ତୁଳାଇଥିଲେ । ଏହାପରେ ୨୦୨୦ରୁ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ୨୦୨୨ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟକୁ ଉନ୍ନିତ ହୋଇଥିଲେ । ଏବେ ଜଳସମ୍ପଦ ବିଭାଗ ସହ ଉନ୍ନୟନ କମିଶନର ଦାୟିତ୍ବରେ ରହିଛନ୍ତି । ବିଜେପି ଶାସନ ସମୟରେ ପ୍ରଥମ ଥର ପାଇଁ ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କୁ ପଦବୀ ମିଳିଥିଲା। ଏହାପରେ ମୁଖ୍ୟ ଶାସନ ସଚିବ ପଦବିରେ ମହିଳାଙ୍କୁ ଦାୟିତ୍ବ ଦେଇ ସରକାର ମହିଳା ସଶକ୍ତୀକରଣର ଉଦାହରଣ ଦେଇଛନ୍ତି । ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ତାଙ୍କ ଉପରେ ଅନେକ ଦାୟିତ୍ବର ଆହ୍ବାନ ରହିବ ।



