ନିୟୁ ସିଟି ପାଇଁ ଏମଓୟୁ ସ୍ୱାକ୍ଷରିତ

‘ବିକଶିତ ଓଡ଼ିଶା ୨୦୩୬’ ‘ସମସ୍ତଙ୍କ ପାଇଁ ଗୃହ’

ନିୟୁ ସିଟି ପାଇଁ ଏମଓୟୁ ସ୍ୱାକ୍ଷରିତ
Samaya Live News Picture
Published On

ଭୁବନେଶ୍ୱର : ନୂଆ ସହର ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଙ୍ଗଳବାର ପ୍ରସ୍ତାବିତ ‘ନିୟୁ ସିଟି’ ପାଇଁ ସୁର୍ବାନା ଜୁରୋଙ୍ଗ ସଂସ୍ଥା ସହ ଏକ ଚୁକ୍ତି ସ୍ବାକ୍ଷରିତ କରିଛି । ସିଙ୍ଗାପୁରର ପ୍ରତିଷ୍ଠିତ କମ୍ପାନି ସୁର୍ବାନା ଜୁରାଙ୍ଗ ଏହି ପ୍ରକଳ୍ପକୁ ନୂଆ ରୂପ ଦେବ । ବିଡିଏ ସଚିବ ମାନସ ରଞ୍ଜନ ପାଢୀ ଓ ସୁର୍ବାନା ଜୁରୋଙ୍ଗର ଡେପୁଟି ଡାଇରେକ୍ଟର ମନଦୀପ ଦତ୍ତଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । 

ଏହି ମେଗା ପ୍ରକଳ୍ପ ଗୋଠପାଟଣା, ମଳିପଡା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିରେ ନିର୍ମାଣ ହେବ । ‘ବିକଶିତ ଓଡ଼ିଶା ୨୦୩୬’ ସହ ସମନ୍ୱୟ ରଖି ଏକ ବହୁ-ଅର୍ଥନୈତିକ ବୃଦ୍ଧି କ୍ଷେତ୍ର ଭାବେ ଗଢ଼ାଯିବ । ପ୍ରସ୍ତାବିତ ନୂଆ ସହରକୁ ଏକ ଟ୍ରାନ୍ସିଟ୍-ଓରିଏଣ୍ଟେଡ୍ ସହରୀ ହବ୍ ଭାବେ ଗଢ଼ାଯିବ । 

‘ସମସ୍ତଙ୍କ ପାଇଁ ଗୃହ’ ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ଆୟ ସ୍ତରର ଲୋକଙ୍କ ପାଇଁ ସୁଲଭ ଓ ବିବିଧ ଗୃହ ବ୍ୟବସ୍ଥା ଏକ ପ୍ରମୁଖ ଦିଗ ହେବ । ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି  ଆଇଟି ହବ୍‌ ଭାବେ ସହରକୁ ପରିଣତ କରାଯିବ । ଯେଉଁମାନେ ନିବେଶ କରିବେ, ସେମାନଙ୍କ ପାଇଁ ରାଜ୍ୟ ସରକାର ୧୦ରୁ ୧୫ ବର୍ଷ ଆୟକର ଛାଡ଼ ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ସହ ବିଦେଶୀ ପୁଞ୍ଜି ନିବେଶକୁ ମଧ୍ୟ ପ୍ରୋତ୍ସାହିତ କରାଯିବ ।

ଏହି ନୂଆ ସହରରେ ପ୍ରାୟ ୨୦ ହଜାର ଘର ନିର୍ମାଣ ହେବ । ୧.୫ ଲକ୍ଷରୁ ଅଧିକ ଲୋକ ଏହି ନୂଆ ସହରରେ ବାସ କରିବାକୁ ଯୋଜନା ହୋଇଛି । ଖୁବ୍‌ଶୀଘ୍ର ଏନେଇ ଜମି ଅଧିଗ୍ରହଣ କରାଯିବ । ତା ପୂର୍ବରୁ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ୭.୫ କିମି ପାଚେରି ନିର୍ମାଣ ସରିଲାଣି । ନୂଆ ସହରେ ସବୁ ଶ୍ରେଣୀର ଲୋକଙ୍କ ପାଇଁ ସୁଲଭ ଘର ଯୋଗାଇ ଦିଆଯିବ । ଏନେଇ ସ୍ୱତନ୍ତ୍ର ଘର ନିର୍ମାଣ କରିବାକୁ ମାଷ୍ଟରପ୍ଲାନ୍‌ରେ ଯୋଜନା କରାଯାଇଛି।

Tags: