୯ ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା - ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର : ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତଙ୍କ ବଡ଼ ସୂଚନା । ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଯନ୍ତ୍ରୀ ରାଉତ କହିଛନ୍ତି ।
ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ସାଳନ୍ଦୀ ନଦୀରେ ଜଳସ୍ତର ବଢିଛି । ସନ୍ଧ୍ୟା ସୁଦ୍ଧା କମିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବୈତରଣୀ ନଦୀ ବେଶୀ କ୍ଷୟକ୍ଷତି କରିଛି । ବରୀ, ଆଳି, ବିଞ୍ଝାରପୁର ଅଞ୍ଚଳ ବନ୍ୟା ପାଣିରେ ଜଳବନ୍ଦୀ ରହିଛି। ବ୍ରାହ୍ମଣୀ ସତର୍କ ସଂକେତସ୍ତରରେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖା ସତର୍କ ସଂକେତ ତଳେ ପ୍ରବାହିତ ହେଉଛି । ବର୍ଷା ଦୁଇ ତିନି ଦିନ ଛାଡ଼ିଲେ ତଳ ମୁଣ୍ଡରେ ବନ୍ୟା ଜଳ ଖସିବ ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।
ସେପଟେ, ଲଗାଣ ବର୍ଷା ପାଇଁ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଳମପୁର ବ୍ଲକ୍ର ସମସ୍ତ ସ୍କୁଲ୍କୁ ବନ୍ଦ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶୁ ବାଟିକାଠାରୁ ଆରମ୍ଭ କରି ହାୟର ସେକେଣ୍ଡାରୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତାଘାଟରେ ପାଣି ଜମିବା ସହ ଯାତାୟାତରେ ସମସ୍ୟା ଦେଖାଦେବା ଆଶଙ୍କା ରହିଛି । ଏଭଳି ସ୍ଥିତିରେ ସ୍କୁଲ୍ ଯିବାବେଳେ ଛାତ୍ରଛାତ୍ରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷାମୂଳକ ପଦକ୍ଷେପ ଭାବେ ସ୍କୁଲ୍ ବନ୍ଦ ରଖାଯାଇଛି ।




