ରଜ ପୂର୍ବରୁ ଓଡିଶା ଛୁଇଁଲା ମୌସୁମୀ
ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଏଣିକି ତାତିରୁ ମିଳିବ ଆଶ୍ବସ୍ତି । ଓଡିଶା ଛୁଇଁଲା ମୌସୁମୀ । ଉତ୍ତର ଓଡିଶା ପଟୁ ରାଜ୍ୟରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଗ ଅନୁକୂଳ ଥିବାରୁ ଚଳିତ ଥର ରଜ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ମୌସୁମୀ ଛୁଇଁଛି ।
ଅନ୍ୟପଟେ, ଗୁରୁବାର ଦିନ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଥିଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏହି ସବୁ ଜିଲ୍ଲା ଗୁଡିକରେ ବର୍ଷା ବିଜୁଳି ସହ ୫୦ ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଥିଲା ।



