ଏଲ୍‌ ନିନୋ ପ୍ରଭାବରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ - ଆଇଏମ୍‌ଡି ଡିଜି

ଏଲ୍‌ ନିନୋ ପ୍ରଭାବରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ - ଆଇଏମ୍‌ଡି ଡିଜି
Samaya Live News Picture
Published On

ଭୁବନେଶ୍ୱର: ଦେଶରେ ଭୟଙ୍କର ହେବ ଏଲ୍‌ ନିନୋର ପ୍ରଭାବ । ଫଳରେ ଚଳିତ ବର୍ଷ ଭାରତରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ ତା’ଠାରୁ କମ୍‌ ବର୍ଷା ହେବ। ଉତ୍ତର ଓଡ଼ିଶାରେ ସାଧାରଣଠାରୁ କମ୍‌ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବା ପ୍ରାୟ ୯୦ ପ୍ରତିଶତ ବର୍ଷା ହେବ। ଜୁନ ୪ରେ ମୌସୁମୀ କେରଳମ୍ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । କେରଳମ୍ ଓ ତାମିଲନାଡ଼ୁର କିଛି ଅଂଶରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । ରାଜ୍ୟରେ ଗରମ ସହ ଅସହ୍ୟ ତାତି ହେଉଥିବା ବେଳେ ଆସନ୍ତା ୪ ଦିନ ଭିତରେ ୨ରୁ ୩ ଡିଗ୍ରୀ ପାରଦ ବଢ଼ିବ।

ସେପଟେ,ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ବିଜୁଳି, ଘଡଘଡି ସହ ବର୍ଷା ଓ ୫୦ରୁ ୬୦ କି.ମି ଝଟକା ପବନ ବହିବା ସମ୍ଭାବନା ରହିଛି । ଏହି ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ଅଞ୍ଚଳରେ କାଳବୈଶାଖୀ ଜାରି ରହିବ । ୫ ଓ ୬ ଦୁଇ ଦିନ ସାରା ରାଜ୍ୟରେ ବର୍ଷା ପାଇଁ ଚେତାବନୀ ଦେଇଛି ବିଭାଗ । ସେହିପରି ଗଲା ୪/୫ ଦିନ ଧରି ଧୁ ଧୁ ଖରାରେ ରାଜଧାନୀ ଭୁବନେଶ୍ୱର ଜଳୁଥିବାବେଳେ ବୁଧୁବାର ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଅପରାହ୍ନ ୩ଟା ବେଳକୁ ରାଜଧାନୀ ଆକାଶରେ ହଠାତ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା। କିଛି ସମୟ ମଧ୍ୟରେ ହାଲୁକା ପବନ ସହିତ ଝିପି ଝିପି ବର୍ଷା ଆରମ୍ଭ ହୋଇ ରାଜଧାନୀ ବାସୀଙ୍କୁ ପ୍ରଚଣ୍ଡ ଗରମ ରୁ ସାମାନ୍ୟ ଆଶ୍ବସ୍ତି ଦେଇଥିଲା ।

Tags: