ଧୀରେ ଧୀରେ ସକ୍ରିୟ ହେଉଛି ମୌସୁମୀ, ଉପକୂଳ ସମେତ କିଛି ସ୍ଥାନରେ ଝିପି ଝିପି ବର୍ଷା
ଭୁବନେଶ୍ୱର : ପାଗରେ ବଡ଼ ପରିବର୍ତ୍ତନ । ଓଡ଼ିଶାରେ ସକ୍ରିୟ ହେଉଛି ମୌସୁମୀ । ଗତକାଲି ଠାରୁ ରାଜଧାନୀ ସମେତ ଅନ୍ୟାନ୍ୟ ସ୍ଥାନରେ ଲାଗି ରହିଛି ଝିପି ଝିପି ବର୍ଷା । ଆସନ୍ତା ୩/୪ ଦିନ ଯାଏଁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି । ଫଳରେ ଆଗକୁ ଚାଷ ପାଇଁ ପାଗ ଅନୁକୂଳ ରହିପାରେ ବୋଲି ଆଶା କରାଯାଉଛି । ତେବେ ବର୍ତ୍ତମାନ ଉପକୂଳ ଅପେକ୍ଷା ପଶ୍ଚିମାଞ୍ଚଳରେ ବର୍ଷାର ପରିମାଣ କମ ରହିବ । ୩୦ତାରିଖ ବେଳକୁ ବର୍ଷର ପରିମାଣ ବଢିବ ବୋଲି ସୂଚନା ରହିଛି ।
ଏଲ୍ ନିନୋ ପ୍ରଭାବ ଯୋଗୁଁ ଚଳିତ ବର୍ଷ ମୌସୁମୀ ପ୍ରବାହ ଦୁର୍ବଳ ରହିଥିଲା, ଯାହା ଖରିଫ ଚାଷ ଏବଂ ଧାନ ରୁଆ କାମ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଜୁନ୍ ୧ରୁ ୧୭ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା ୯୧.୪ ମିଲିମିଟର ବଦଳରେ ମାତ୍ର ୫୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ପ୍ରାୟ ୪୪ରୁ ୪୬ ପ୍ରତିଶତ ନିଅଣ୍ଟ ରହିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ଅଭାବ ସବୁଠାରୁ ଅଧିକ ୫୦%ରୁ ୮୫% ରହିଛି । ସେହିପରି ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାରେ ମଧ୍ୟ ପ୍ରାୟ ୬୫% ବର୍ଷା କମ୍ ହୋଇଛି । ଜୁନ୍ ମାସରେ ରାଜ୍ୟରେ ବର୍ଷାର ବଡ଼ ଧରଣର ନିଅଣ୍ଟ ଦେଖାଦେଇଥିବା ବେଳେ, ଏବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ବଜ୍ରପାତ ଏବଂ ଝଡ଼ବର୍ଷାର ସତର୍କ ସୂଚନା ଜାରି କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ମୌସୁମୀ ବାୟୁ ଅଧିକ ଶକ୍ତିଶାଳୀ ହେବ । ପ୍ରଭାବରେ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବଢ଼ିବ । ଜୁନ୍ ୨୬ରୁ ଜୁଲାଇ ୨ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଗୁଳୁଗୁଳି ସହ ସ୍ଥାନେ ସ୍ଥାନେ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଜି ପାଇଁ ୩ ଜିଲ୍ଲା ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ, ଜୁନ ମାସରେ ହୋଇଛି ନିଅଣ୍ଟିଆ ବର୍ଷା । ୪୫% ବର୍ଷା କମି ଥିବାବେଳେ ଏବେ ବଜ୍ରପାତ ଓ ପବନ ସହ ବର୍ଷା ଫେରୁଥିବା ନେଇ ୱାର୍ଣ୍ଣିଂ ଜାରି କରିଛି IMD। ପ୍ରାରମ୍ଭିକ ପର୍ଯ୍ୟାୟରେ ମୌସୁମୀ ଦୁର୍ବଳ ରହିବା ପରେ, ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାର ସଙ୍କେତ ମିଳିଛି ।




