ଜୁନ ପ୍ରଥମ ସପ୍ତାହରେ ମୌସୁମୀ !
ଭୁବନେଶ୍ୱର : ଭୀଷଣ ଗରମ ପ୍ରକୋପରୁ ମିଳିବ ଆଶ୍ଵସ୍ତି। ଜୁନ୍ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ । ବିଶେଷ କରି ମେ'ମାସ ଶେଷ ବେଳକୁ ଉପକୂଳ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଯୋଗୁ ପାଗ ବଦଳିବ ଓ ତାପମାତ୍ରା କମିବ। ମୌସୁମୀ ଓଡ଼ିଶାକୁ ଜୁନ୍ ୧୦ ରୁ ୧୨ ତାରିଖ ସୁଦ୍ଧା ଆସିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ସେହିପରି ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ । ଏହା ପୂର୍ବରୁ ୨୪-୨୫ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ଗତି ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ଆଡ଼କୁ ରହିପାରେ । ଏହା ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ବାତବାରଣ ସୃଷ୍ଟି କରିବ । ଏହା ପ୍ରଭାବରେ ଉତ୍ତର ପୂର୍ବ ଭାରତ ଦିଗରେ ମୌସୁମୀ ଆଗେଇ ପାରେ । ଓଡ଼ିଶାରେ ବର୍ତ୍ତମାନ ଲାଗି ରହିଥିବା ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୨୬ ତାରିଖ ପରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା କିଛି ଆଶ୍ୱସ୍ତି ଆଣିପାରେ । ମାତ୍ର ପଶ୍ଚିମରେ ବିଶେଷ ତ୍ରାହି ମିଳିବା ସମ୍ଭାବନା କମ୍ । ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ମୌସୁମୀ ଆଗମନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ଅଧିକ ରହିପାରେ ।
ସେପଟେ, ତାତିରୁ ସତର୍କ ରହିବା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରାମର୍ଶ । ସେ କହିଛନ୍ତି ,ଆସନ୍ତା ଜୁନ ୨ତାରିଖ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କତା ଗାଇଡ ଲାଇନ ଜାରି କରାଯାଇଥିବା କହିଛନ୍ତି ମନ୍ତ୍ରୀ । କୌଣସି କାମ ନଥିଲେ ଘରୁ ବହାରନ୍ତୁ ନାହିଁ । ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିଛନ୍ତି, ତେବେ ସାଙ୍ଗରେ ପାଣି ବୋତଲ, ଛତା, ଜୋତା ନେଇ ବାହାରନ୍ତୁ । ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଏନ.ଏ.ସି. ଏବଂ ମୁନିସିପାଳିଟି ପକ୍ଷରୁ ସ୍ଥାନେ ସ୍ଥାନେ ପିଇବା ପାଣି ଵ୍ୟଵସ୍ଥା କରାଯାଇଛି । ଏଭଳି ସ୍ଥିତି ରାଜ୍ୟରେ ଜୁନ ୨ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।



