ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆଗାମୀ ୫ଦିନ ଯାଏଁ ଲାଗି ରହିବ ବର୍ଷା

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆଗାମୀ ୫ଦିନ ଯାଏଁ ଲାଗି ରହିବ ବର୍ଷା
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ବିଳମ୍ବରେ ସକ୍ରିୟ ହେଲା ମୌସୁମୀ । ମଙ୍ଗଳବାର ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । 

ଆଇଏମଡିର ତଥ୍ୟ ଅନୁସାରେ, ଗତ ଜୁନ୍ ୧୨ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ୧୧ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳରେ ବ୍ୟାପିଯାଇଛି । ଗତକାଲି ସୁଦ୍ଧା ବରଗଡ଼, ନବରଙ୍ଗପୁର ଏବଂ ଝାରସୁଗୁଡ଼ା, କଳାହାଣ୍ଡି, ସୋନପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ମୌସୁମୀ ଛୁଇଁଥିଲା । ଆଗାମୀ  ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । 

ସୂଚନାନୁସାରେ , ଚଳିତ ବର୍ଷ ୩ ଦିନ ବିଳମ୍ବରେ ମୌସୁମୀ ଭାରତକୁ ପ୍ରବେଶ କରିଥିଲା । ଜୁନ୍ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁଥିଲା । ସୁପର୍ ଏଲନିନୋ ପ୍ରଭାବ ଯୋଗୁଁ ମୌସୁମୀ ଆଗମନରେ ବିଳମ୍ବ ହୋଇଥିବା କୁହାଯାଉଛି । 

Tags: