ଆସନ୍ତାକାଲି ଲୋକାର୍ପିତ ହେବ ମୋକିମଙ୍କ ନୂଆ ଦଳ 'ଓଡିଶା ଜନତା କଂଗ୍ରେସ'
ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ମୁଣ୍ଡ ଟେକିଲା ନୂଆ ଆଞ୍ଚଳିକ ଦଳ 'ଓଡିଶା ଜନତା କଂଗ୍ରେସ' । ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏହି ନୂଆ ଦଳର ପ୍ରତିଷ୍ଠାତା । ଆସନ୍ତାକାଲି ଭୁବନେଶ୍ୱର ଜନତା ମୈଦାନରେ ଶକ୍ତି ପ୍ରଦର୍ଶନ କରିବେ ମୋକିମ । ତେବେ ଏହାର ଲିଡ୍ ନେବେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ଏ ନେଇ ସୂଚନା ଦେଇଛନ୍ତି ଓଡିଶା ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ମହମଦ ମୋକିମ । ସେ କହିଛନ୍ତି ବିଜେଡି ଓ କଂଗ୍ରେସର ଅନେକ ନେତା ଯୋଗାଯୋଗରେ ଅଛନ୍ତି । ଆଗକୁ ସେମାନେ ସମସ୍ତେ ମିଶିବେ ବୋଲି ସେ ସ୍ପଷ୍ଟ କରି କହିଛନ୍ତି ।
ସୂଚନାନୁସାରେ, ଆସନ୍ତା କାଲି ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ କାଲି କରାଯିବ ବଡ ସମାବେଶ । ଏହାପୂର୍ବରୁ ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ସଭାପତି ମହମ୍ମଦ ମୋକିମ୍ ସଭାସ୍ଥଳ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି- Gen Zଙ୍କୁ ନେଇ ଦଳ ଆଗକୁ ବଢିବ। ଯେଉଁ ଯୁବକମାନେ ରାଜନୀତି ପ୍ରତି ଆଗ୍ରହୀ ଅଛନ୍ତି, ସେମାନଙ୍କୁ ଏହି ଦଳରେ ପ୍ରାଥମିକତା ଦିଆଯିବ । ଯୁବକମାନେ ଆଗକୁ ଦଳର ଦାୟିତ୍ୱ ନେବା ସହ ସରକାର ଚଳାଇବାର ଦାୟିତ୍ୱ ନେବେ । ଏହି କ୍ରମରେ ଯୁବକମାନଙ୍କୁ ନେଇ ଆସନ୍ତାକାଲି ବିଶାଳ ଶକ୍ତି ପ୍ରଦର୍ଶନ କରିବେ ମୋକିମ । ବିଜେପି ବିରୋଧରେ ଲଢେଇ ହେବ । ଓଡିଶାରେ ଏକମାତ୍ର ଆଂଚଳିକ ଦଳ ବିଜେଡ଼ି ଏବେ ଲୋକଙ୍କ ଠାରୁ ଦୁରେଇ ଯାଇଛି। ସେଥିପାଇଁ ଆମେ ବିକଳ୍ପ ଭାବେ ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ୁଛୁ ବୋଲି ମୋକିମ୍ କହିଛନ୍ତି ।
ସେହିପରି ବିଜେଡି-କଂଗ୍ରେସ ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ମୋକିମ । ଦୁଇ ଫେଲ ପିଲା ସଙ୍ଗାତ ବସିବା ଭଳି ବିଜେଡି କଂଗ୍ରେସର ସମ୍ପର୍କ ବୋଲି କଟାକ୍ଷ କରିଛନ୍ତି ମୋକିମ ।



