ଭକ୍ତ ଦାସଙ୍କ ନେତୃତ୍ୱକୁ ଖୋଲା ଚାଲେଞ୍ଜ କଲେ ମୋକିମ
ଭୁବନେଶ୍ୱର : କଂଗ୍ରେସ ରେ ପୁଣି ନେତୃତ୍ୱ ସଙ୍କଟ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କଲେ କଂଗ୍ରେସ ନେତା ମହମ୍ମଦ ମୋକିମ। ଏନେଇ ସେ ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚିଠିରେ ମୋକିମ କହିଛନ୍ତି, ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ଦଳର ନେତୃତ୍ୱ। ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା। ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ। ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟ୍ରେ ହାରିଛି। ନୂଆପଡ଼ା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶାଜନକ ହୋଇଛି। ନିଜ ସଂସଦୀୟ କ୍ଷେତ୍ର ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ।
ମୋକିମ ଆହୁରି ମଧ୍ୟ କହିଛନ୍ତି ଯେ ସେ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ବ ଦେବା ଅସମ୍ଭବ ବ୍ୟାପାର । ପୂର୍ବ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶରତଙ୍କ ନେତୃତ୍ବରେ ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩ ପ୍ରତିଶତ ଭୋଟ୍ ପାଇଥିଲା । ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ। ଆଜିକା ଦିନରେ କଂଗ୍ରେସକୁ ପୁର୍ନଜୀବନ ଦରକାର ବୋଲି ମୋକିମ କହିଛନ୍ତି। ଏହାସହିତ ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ବ ଦରକାର ବୋଲି କହିବା ସହ ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ମହମ୍ମଦ ମୋକିମ୍।


