ଆସନ୍ତାକାଲି ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା - ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ପଛକୁ ପଛ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସଂଗୀନ ସ୍ଥିତି ଉପୁଜିଛି । ଗତକାଲି ବିପଦ ସଂଜଏଟ ଟପିବା ପରେ ବୈତରଣୀରେ ବଡ଼ ବନ୍ୟା ଆସିଛି । ଫଳରେ ଯାଜପୁର ଦଶରଥପୁର, ଧାମନଗର, ଚାନ୍ଦବାଲିରେ ବନ୍ୟା ପାଣି ପଶିଛି । ସେହିପରି ବାଲେଶ୍ୱର ଜିଲ୍ଲାରେ ସାଳନ୍ଦୀ ଏବଂ ଜଳକାରେ ବନ୍ୟା ଯୋଗୁଁ ୧୨ ଟି ପଂଚାୟତ ଜଳବନ୍ଦୀ ହୋଇ ରହିଛି । ଆସନ୍ତାକାଲି ଭଦ୍ରକରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି ।
ସେପଟେ, ପ୍ରବଳ ବର୍ଷା ଯୋଗୁଁ ଆସନ୍ତାକାଲି ମହାନଦୀରେ ଆସୁଛି ମଧ୍ୟମ ଧରଣ ବନ୍ୟା । ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ମହାନଦୀ ଓ ଦୟାର ତଳି ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ଏବେ ହୀରାକୁଦରେ ଜଳସ୍ତର ୬୧୬ ଫୁଟ ରହିଥିବାବେଳେ ଦୁଇଟି ଗେଟ୍ ଦେଇ ବନ୍ୟା ପାଣି ଛଡା ଯାଉଛି । ତଥାବି ତେଲ ନଦୀ ବେସିନ ସହ ବଲାଙ୍ଗିର, ଖଇରମାଳରେ ଅଧିକ ବର୍ଷା ଯୋଗୁଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୪ ଲକ୍ଷ କ୍ୟୁସେକ ପାଣି ଆସିବ । ଫଳରେ ଶୁକ୍ରବାର ଦୟା ନଦୀ ଓ ମହାନଦୀର ତଳି ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ । ନିମାପଡା, କଣାସ, ଗୋପ, ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ପାଣି ପଶିବ ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଆନନ୍ଦପୁରରେ ଏକ ଛୋଟ ଘାଇ ହୋଇଛି । ପାଣି କମିଲେ ମରାମତି ହେବ । ଯାଜପୁରରେ ଏକ ଛୋଟ ଘାଇ ହୋଇଥିଲା, ସେଠାରେ ପାଣି କମିଲେ ମରାମତି ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।




