ବିମାନ ସେବା ଓ ରେଳ ସେବା ସମ୍ପ୍ରସାରଣ ପାଇଁ ଦାବି ରଖିଲେ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ
କେନ୍ଦ୍ର ଏଭିଏସନ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ସାକ୍ଷାତ କରି ଦୁଇଟି ରେଳର ସମ୍ପ୍ରସାରଣ ଓ ନିକଟ ଅଞ୍ଚଳରେ ଏକ ମିନି ବିମାନ ବନ୍ଦର ସ୍ଥାପନ ପାଇଁ ଦାବି ଜଣାଇଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ। ପାରଳାଖେମୁଣ୍ଡି ବିଧାୟକ ପାତପାଟନମ ଠାରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ଉନ୍ନୟନ ଦିଗରେ ଆଲୋଚନା କରିଥିଲେ। ବିଶେଷ କରି ଗୁଣୁପୁର ଠାରୁ ବିଶାଖାପାଟଣା ଯାଉଥିବା ଟ୍ରେନକୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଚଳାଚଳ କରିବା ଓ ଭଦ୍ରକ ଠାରୁ ଆସି ପଲାସା ଠାରେ ରହୁଥିବା ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଦାବି ଜଣାଇଛନ୍ତି ବିଧାୟକ। ଏହାସହିତ ଅଞ୍ଚଳରେ ଏକ ମିନି ବିମାନ ବନ୍ଦର ସ୍ଥାପନ କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି ମନ୍ତ୍ରୀ। ଗଜପତି ଜିଲ୍ଲାରୁ ପ୍ରତିଦିନ ଅନେକ ଲୋକ ଚାକିରି ତଥା ବ୍ୟବସାୟ ଓ ପାଠପଢା ନିମନ୍ତେ ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ କଟକ ଭୁବନେଶ୍ୱର ଦିଲ୍ଲୀ ମୁମ୍ବାଇ କୋଲକାତା ଆଦି ସହରକୁ ଯାତାୟତ କରୁଛନ୍ତି। ତେବେ ପ୍ରଗତିଶୀଳ ଯୁଗରେ ଗମନାଗମନ ବିକାଶ ଅତି ଜରୁରୀ ହୋଇଛି। ତେଣୁ ଜିଲ୍ଲା ସହିତ ବିଭିନ୍ନ ଦିଗକୁ ରେଲ ଓ ବିମାନରେ ଗମନାଗମନର ସୁବିଧା ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଦାବି ରଖିଛନ୍ତି ବିଧାୟକ। ତେବେ ଦିଲ୍ଲୀ ଫେରିବା ପରେ ରେଳ ବିଭାଗ ଓ ବିମାନ ସେବା ବିଭାଗ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ରାମ ମୋହନ ନାଇଡୁ।



