ରେଳୱେ ବୋର୍ଡର ନିଷ୍ପତ୍ତି କୁ ନେଇ ସ୍ପଷ୍ଟୀକରଣ ଦେଲା ମନ୍ତ୍ରାଳୟ
ଭୁବନେଶ୍ବର : ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ । ରେଳୱେ ବୋର୍ଡର ଏହି ନିଷ୍ପତ୍ତି ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ପ୍ରେସମିଟରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର । କିନ୍ତୁ ଆନ୍ଧ୍ରପ୍ରଦେଶକୁ ପୂର୍ବତଟ ରେଳପଥର ଗୋଟିଏ ପରେ ଗୋଟିଏ ଅଞ୍ଚଳ କାହିଁକି ଚାଲିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ । ରାଜ୍ୟରୁ ୨୦ ଜଣ ସାଂସଦ ବିଜେପିରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହି ପ୍ରସଙ୍ଗରେ ସେମାନେ ନିରବ କାହିଁକି? ଓଡ଼ିଶାର ସ୍ୱାଭିମାନକୁ ଆନ୍ଧ୍ର ପାଖରେ ବନ୍ଧା ପକାଇଛନ୍ତି କି? ବୋଲି ସେ ପ୍ରଶ୍ନ କରିଛନ୍ତି lରେଲୱେ ବୋର୍ଡର ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି ବିଜେଡି । ନହେଲେ ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ଜୋରଦାର ଆନ୍ଦୋଳନ କରିବ ବୋଲି କହିଛନ୍ତି ଅତନୁ ସବ୍ୟସାଚୀ । କଂଗ୍ରେସ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟ ସରକାର କେତେବେଳେ ଓଡିଶାକୁ ଆନ୍ଧ୍ରରେ ମିଶାଇ ଦେବେ ତାହା କହି ହେବନାହିଁ ବୋଲି କଟାକ୍ଷ କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା।
ଓଡିଶା ଠାରୁ ଅଲଗା ହୋଇ ପଲାସା ବିଶାଖାପାଟଣା ଜୋନକୁ ଚାଲିଯାଉଛି। କିନ୍ତୁ ରାଜ୍ୟ ସରକାର ନିରୁପାୟ। ଯଦି ଇଷ୍ଟ କୋଷ୍ଟ ରେଲୱେ ଅଞ୍ଚଳ ଅନ୍ୟ ଡିଭିଜନକୁ ଯିବ ତେବେ ତେବେ ଅନ୍ୟ ରେଲୱେର ଡିଭିଜନ ଅଂଶ କାହିଁକି ଇଷ୍ଟ କୋଷ୍ଟ ରେଲୱେ ଅଧୀନକୁ ଆସିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ।
ପ୍ରତିକ୍ରିୟା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ରେଳ ମନ୍ତ୍ରଣାଳୟ। ଓଡ଼ିଶାରୁ ଗୋଟିଏ ଇଞ୍ଚ ମଧ୍ୟ ରେଳ ପଥ ଅନ୍ୟ ରାଜ୍ୟକୁ ଯାଉନାହିଁ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ,ରାୟଗଡ଼ା ଡିଭିଜନକୁ ଅନୁମୋଦନ କରାଯାଇଛି । ଏଠାରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ସର୍ବାଧିକ ରାଜସ୍ୱ ସୃଷ୍ଟିକାରୀ KK ଲାଇନ: କୋଥାଭାଲସା-କିରାଣ୍ଡୁଲ (ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶର ଅଞ୍ଚଳ ସମେତ) ରାୟଗଡ଼ା ଡିଭିଜନରେ ଅଛି। ତେଣୁ ପୂର୍ବତଟ ରେଳପଥ ପାଇଁ କୌଣସି ରାଜସ୍ୱ କ୍ଷତି ନାହିଁ । ପଲାସା – ଇଚ୍ଛାପୁରମ ସେକ୍ସନରେ କୌଣସି ବଡ଼ ମାଲ ପରିବହନ ଆୟ ଉତ୍ପାଦନ କରୁଥିବା ଷ୍ଟେସନ ନାହିଁ। ତେଣୁ ପୂର୍ବ ତଟ ରେଳପଥ ପାଇଁ କୌଣସି ରାଜସ୍ୱ କ୍ଷତି ନାହିଁ ବୋଲି କହିଛି ମନ୍ତ୍ରଣାଳୟ ।



