ବର୍ତ୍ତମାନ ପାଇଁ ମେଟ୍ରୋ ପ୍ରକଳ୍ପ ସ୍ଥଗିତ ରଖାଯାଇଛି - ମନ୍ତ୍ରୀ
ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ନେଇ ବଡ଼ ଖବର । ରାଜ୍ୟରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃ ଅନୁଧ୍ୟାନ ପାଇଁ ସ୍ଥଗିତ ରଖାଯାଇଥିବା ନେଇ ଆଜି ଗୃହରେ ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଜାତୀୟ ମେଟ୍ରୋ ରେଳ ନୀତିସହ ଅନୁପାଳନ, ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ଓ ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃ-ଅନୁଧ୍ୟାନ ପାଇଁ ବର୍ତ୍ତମାନ ସରକାର ଏହି ପ୍ରକଳ୍ପକୁ ପରୀକ୍ଷାଧୀନ ବା ସ୍ଥଗିତ ରଖିଛନ୍ତି । ଏହି ଉଦ୍ଦେଶ୍ୟରେ ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ପ୍ରକଳ୍ପ ଭବୁନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ପ୍ରସ୍ତାବ ରହିଥିଲା । ଏଥିପାଇଁ ପ୍ରାୟ ୬ହଜାର ୨୫୫ କୋଟି ଚଙ୍କା ବ୍ୟୟ ଅଟକଳ କରାଯାଇଥିଲା ।
ଏଥିସହିତ, ସରକାରଙ୍କ ଦ୍ବାରା “Sustainable Urban Mobility Transition Plan for Odisha” ଶୀର୍ଷକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଓଡ଼ିଶାରେ ମେଟ୍ରୋ ରେଳ ସମେତ ସାମଗ୍ରିକ ସହରୀ ପରିବହନ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାରେ ସହାୟକ ହେବ । ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶ ଓ ଉପରୋକ୍ତ ସହରୀ ପରିବହନ ଯୋଜନାର ରିପୋର୍ଟକୁ ବିସ୍ତୃତ ଅନୁଧ୍ୟାନ କରିବା ପରେ, ସରକାର ଏହି ପ୍ରକଳ୍ପ ସମ୍ପର୍କରେ ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ଗ୍ରହଣ କରିବେ।



