ଆଜି ବସିବ ରତ୍ନ ଭଣ୍ଡାର ଗଣତି ମଣତି ପାଇଁ ବୈଠକ

ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ହେବ ଡିଜିଟାଇଜେସନ

ଆଜି ବସିବ ରତ୍ନ ଭଣ୍ଡାର ଗଣତି ମଣତି ପାଇଁ ବୈଠକ
Samaya Live News Picture
Published On

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ନେଇ ଆଜି ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ଅପରାହ୍‌ଣ ୪ଟାରେ ନୀଳାଦ୍ରି ଭକ୍ତନିବାସ ପରିସରର କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ।ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ କମିଟିର ସଦସ୍ୟମାନେ ଯୋଗଦେବେ। ଏଥିରେ ରତ୍ନଭଣ୍ଡାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ। ବୈଠକରେ ଗଣତି ମଣିତ ତାରିଖ ନିର୍ଦ୍ଧାରିତ ହେଵ ଓ ପ୍ରସ୍ତୁତ ହେବ ଗଣତିର ରୂପରେଖ । ପାଞ୍ଜି ଦେଖି ୨ଟି ତାରିଖ ନିର୍ଦ୍ଧାରିତ ହେବ ଓ ସେହି ତାରିଖକୁ ପରିଚାଳନା କମିଟିକୁ ସୁପାରିଶ କରାଯିବ। ବିଶେଷକରି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ମୁଖ୍ୟ ପ୍ରସଙ୍ଗ ରହିବ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । 

ଜାନୁଆରୀ ମାସରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି କାର୍ଯ୍ୟ ଆରମ୍ଭ ହୋଇପାରେ। ବୈଠକରେ ଗଣତି ପ୍ରକ୍ରିୟା ପାଇଁ ଏସ୍‌ଓପି ଚୂଡ଼ାନ୍ତ କରାଯିବା ସହ କେଉଁମାନେ ଏହି କାର୍ଯ୍ୟରେ ସାମିଲ ହେବେ, ସେନେଇ ନିଷ୍ପତ୍ତି ନିଆଯିବ।  ଗଣତିମଣତି ସମୟରେ ଅଳଙ୍କାରର ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କ ଦର୍ଶନ କେତେ ସମୟ ପର୍ଯ୍ୟନ୍ତ ବନ୍ଦ କରାଯିବ ତାହା ମଧ୍ୟ ସ୍ଥିରିକୃତ କରାଯିଵ। ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦନ ହେବାପରେ ଖୋଲିବ ରତ୍ନଭଣ୍ଡାର । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ। ୧୯୫୪ ମସିହାର ରେକର୍ଡ ଏବଂ ୧୯୭୮ ମସିହାରେ ହୋଇଥିବା ଗଣତି ତାଲିକାକୁ ଆଧାର କରି ବର୍ତ୍ତମାନର ଅଳଙ୍କାର ସହ ମେଳ କରାଯିବ ବୋଲି ଜଣାପଡ଼ିଛି । ମାର୍ଗଦର୍ଶିକା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଜିଲ୍ଲାପାଳ,ଏସପି ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ ।

ସେପଟେ ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସରିଛି ଏବଂ ସମସ୍ତ ରତ୍ନ ଅଳଙ୍କାରକୁ ପୁଣିଥରେ ସୁରକ୍ଷିତ ଭାବେ ରତ୍ନଭଣ୍ଡାର ମଧ୍ୟରେ ରଖାଯାଇଛି। ଅଳଙ୍କାରର ଗୁଣବତ୍ତା ପରୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ାଯାଇଛି। ଏହି କାର୍ଯ୍ୟରେ ଦୁଇଜଣ ବିଶେଷଜ୍ଞ ମଧ୍ୟ ସାମିଲ ହେବେ। 

 

Tags: