ରାସ୍ତାକଡ଼ରେ ଅଳିଆ ଗଦା ଦେଖି ରାଗିଲେ ମେୟର
ଭୁବନେଶ୍ୱର : ସ୍ମାର୍ଟ ସିଟି ଛାତି ଉପରେ ଅଳିଆ ଗଦା। ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ମେୟର ସୁଲୋଚନା ଦାସ । ରୁପାଲି ଛକ ନିକଟରେ ଆଜି ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯ୍ୟକ୍ରମ ଚାଲିଥିବାବେଳେ ରାସ୍ତା କଡରେ ପଡ଼ିରହିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନାକୁ ଦେଖି ବିରକ୍ତ ହୋଇଥିଲେ ମେୟର । ସେହି ଅଂଚଳରେ କାହିଁକି ଅଳିଆ ସଫା ହେଉନି ବୋଲି ଅଧିକାରୀଙ୍କ ଉପରେ ବର୍ଷିଥିଲେ ।
ସେହିପରି ରୁପାଲୀ ଛକ ମୁଖ୍ୟ ରାସ୍ତା ସଂଲଗ୍ନ ଏକ ରାସ୍ତା କୁ ଜବରଦଖଲ କରି ଅନେକ ଛୋଟ ବଡ଼ ଦୋକାନ ଗଢି ଉଠିଥିଲା । କିଏ ପାର୍କ ମାଡ଼ି ବସି ସର୍ଭିସଂ ସେଣ୍ଟର କରିଛି ତ ଆଉ କେଉଁଠି ପୁଣି ରାସ୍ତା ଜବରଦଖଲ କରି ବୋଇନ ଭାବେ ଗଢି ଉଠିଛି ଦୋକାନ ଘର। ରାସ୍ତା, ଏବଂ ନିକଟସ୍ଥ ପାର୍କ ଭିତରେ ଗଦା ହୋଇଥିଲା ଭଙ୍ଗା ଗାଡିର ଯନ୍ତ୍ରାଂଶ । ଏହାକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଥିଲେ ମେୟର ।ସରକାରୀ ଜାଗାରେ ହୋଇଥିବା ସର୍ଭିସ ସେଣ୍ଟରକୁ ସିଲ କରିବା ପାଇଁ ନିର୍ଦେଶ ଦେଇଥିଲେ ମେୟର । ପରିମଳ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଖୋଦ ସହର କେନ୍ଦ୍ରସ୍ଥଳ ରୂପାଲି ଛକ ନିକଟରେ କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କୁ ତାଗିଦ୍ କରିବା ସହ ସ୍ଵଚ୍ଛତା ଦିଗରେ ସହରବାସୀ ସଜାଗ ଓ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।



