ଏପ୍ରିଲ ୨ ତାରିଖ ରେ ସରିବ ମାଟ୍ରିକ ଖାତା ଦେଖା
ଭୁବନେଶ୍ୱର : ରାଜ୍ୟରେ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ଏପ୍ରିଲ ୨ ତାରିଖ ସୁଦ୍ଧା ସମସ୍ତ ବିଷୟର ମୂଲ୍ୟାୟନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।
ବୋର୍ଡ ସୂଚନା ଅନୁଯାୟୀ, OMR ସିଟ୍ଗୁଡ଼ିକର ମୂଲ୍ୟାୟନ ପ୍ରକ୍ରିୟା ପୂର୍ବରୁ ହିଁ ଶେଷ ହୋଇସାରିଛି। ଏପରିକି ଏହାର ମାର୍କ ଅପଲୋଡ଼ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ କେବଳ ସବଜେକ୍ଟିଭ୍ (Subjective) ବା ବର୍ଣ୍ଣନାମୂଳକ ପ୍ରଶ୍ନପତ୍ରର ଖାତା ଦେଖା ଚାଲିଛି । ଏହି ପ୍ରକ୍ରିୟା ସରିବା ମାତ୍ରେ ରେଜଲ୍ଟ ପ୍ରକାଶ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହେବ । ଚଳିତ ବର୍ଷ ରାଜ୍ୟର ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା କାର୍ଯ୍ୟ ଜାରି ରହିଛି । ଏଥିରେ ୧୨ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟୋଜିତ ଅଛନ୍ତି। ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ତ୍ରୁଟି ନକରି ସଠିକ୍ ଭାବେ ମୂଲ୍ୟାୟନ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ଶିକ୍ଷକଙ୍କୁ କଡ଼ା ପରାମର୍ଶ ଦିଆଯାଇଛି ।
ସେହିପରି ମୂଲ୍ୟାୟନରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହେବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବୋର୍ଡ ପକ୍ଷରୁ ଚିଠି ଲେଖା ଯାଇଛି । ସେହିପରି ମୂଲ୍ୟାୟନ କେନ୍ଦ୍ରରେ ତ୍ରୁଟି ବିଚ୍ୟୁତି ନ ହେବା ପାଇଁ ସଜାଗ ରହିବାକୁ ସମସ୍ତ ଜିଲ୍ଲପାଳ, ଏସପି ମାନଙ୍କୁ ଲିଖିତ ଆକାରରେ ବୋର୍ଡ ଅବଗତ କରିଛି



