ମେ ୧୧ରୁ ମାଟ୍ରିକ ଖାତା ରିଚେକିଂ

ମେ ୧୧ରୁ ମାଟ୍ରିକ ଖାତା ରିଚେକିଂ
Samaya Live News Picture
Published On

କଟକ: ମେ ୧୧ରୁ ୨୨ ଯାଏ ମାଟ୍ରିକ ପରୀକ୍ଷା ଖାତା ରିଚେକିଂ । ଅନଲାଇନ ଆବେଦନ ୨୪ ଘଣ୍ଟିଆ ଚାଲୁ ରହିବ। ଏହି ପ୍ରକ୍ରିୟା ସମାପ୍ତ କରି ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କସିଟ୍‌ ପ୍ରଦାନ କରିବେ। ଏଥିସହ ଆବେଦନକାରୀମାନେ ବୋର୍ଡ ୱେବସାଇଟ୍‌ରୁ ପରୀକ୍ଷା ଖାତାର ଅବିକଳ ନକଲ ଡାଉନଲୋଡ୍ କରିପାରିବେ । ଏସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । 

ସୂଚନାନୁସାରେ, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ନିକଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଭିନ୍ନ ବିଷୟରେ ପୁନଃ ଖାତା ଯାଞ୍ଚ (ରିଚେକିଂ) ନିମନ୍ତେ ମେ ୧୧ରୁ ପ୍ରକ୍ରିୟା ଆରମ୍ଭ ହେବ । ପ୍ରତ୍ୟେକ ବିଷୟରେ ସବ୍‌ଜେକ୍ଟିଭ ଓ ଅବ୍‌ଜେକ୍ଟିଭ ଖାତା ରିଚେକିଂ ଓ ସେହି ଖାତାଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ଆବେଦନ କରିବାର ନିୟମାବଳୀ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଉପଲବ୍ଧ ହେବ । ଏଥିପାଇଁ ଉଭୟ ଫର୍ମ ଓ ଦେୟ ଦାଖଲ ୨୨ ତାରିଖ ମଧ୍ୟରାତ୍ର ସୁଦ୍ଧା କରିବାକୁ ହେବ।

ସେହିପରି ମଧ୍ୟମା ସଂସ୍କୃତ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀମାନେ ୧୧ ରୁ ୨୫ ତାରିଖ ମଧ୍ୟରେ ଅଫ୍‌ଲାଇନ୍‌ରେ ବୋର୍ଡର ମୁଖ୍ୟ ଓ ଶାଖା କାର୍ଯ୍ୟାଳୟରେ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

 

 

Tags: