ଶ୍ରୀମନ୍ଦିର ପାଇଁ ବୃହତ୍ ଆଲୋକୀକରଣ ପ୍ରକଳ୍ପ

୧୭ ରୁ ୧୮ କୋଟି ଟଙ୍କାର ବ୍ୟୟ ଅଟକଳ

ଶ୍ରୀମନ୍ଦିର ପାଇଁ ବୃହତ୍ ଆଲୋକୀକରଣ ପ୍ରକଳ୍ପ
Samaya Live News Picture
Published On

ପୁରୀ : ଶ୍ରୀମନ୍ଦିର ଏବେ ନୂଆ ରୂପରେ ଦେଖାଯିବ। ଶ୍ରୀମନ୍ଦିରରେ କରାଯିବ ଆକର୍ଷଣୀୟ  ଆଲୋକୀକରଣ ବ୍ୟବସ୍ଥା । ଦିନ ଭଳି ରାତିରେ ମଧ୍ୟ ଭବ୍ୟ ଝଲସି ଉଠିବ ଶ୍ରୀମନ୍ଦିର । ଭକ୍ତ ପାଇବେ ନୂଆ ଆଧ୍ୟାତ୍ମିକ ଅନୁଭୂତି । ଶ୍ରୀମନ୍ଦିର ସହିତ ଭିତର ବେଢାରେ ଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ଗୁଡିକରେ ମଧ୍ୟ ସୁନ୍ଦର ଭାବେ କରାଯିବ ଆଲୋକୀକରଣ । ମନ୍ଦିରକୁ ଝଲସାଇବା ପାଇଁ ଆରମ୍ଭ ହେଉଛି ବୃହତ୍ ଆଲୋକୀକରଣ ପ୍ରକଳ୍ପ । ଏଥିପାଇଁ ପ୍ରାୟ ୧୭ ରୁ ୧୮ କୋଟି ଟଙ୍କାର ବ୍ୟୟ ଅନୁମାନ କରାଯାଇଛି । ଆଲୋକୀକରଣ ପ୍ରକଳ୍ପ ପାଇଁ ଏକ ବ୍ୟାପକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି, ଏବଂ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି ।   

ଏହି ଆଲୋକୀକରଣ ଯୋଜନା ଅନୁସାରେ ଶ୍ରୀମନ୍ଦିରର ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପ ସହିତ ଭିତର ବେଢାରେ ଥିବା ସମସ୍ତ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରକୁ ସୁନ୍ଦର ଭାବେ ଆଲୋକୀତ କରାଯିବ। ମା ଲକ୍ଷ୍ମୀ, ବିମଳାଙ୍କ ମନ୍ଦିର ସମେତ ଅନ୍ୟାନ୍ୟ ଉପମନ୍ଦିରମାନେ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହେବେ।

ସେଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଏଏସଆଇ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ପ୍ରକଳ୍ପରେ ମନ୍ଦିରର ଚାରିଟି ଦ୍ୱାର, ମେଘନାଦ ପାଚେରି, କୁରୁମବେଢା, ଆନନ୍ଦ ବଜାର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଆଲୋକରେ ଉଜ୍ଜ୍ୱଳ କରାଯିବ । ଆଲୋକ ବ୍ୟବସ୍ଥାକୁ ଆଧୁନିକ ଓ ସୁରକ୍ଷିତ ଭାବେ ସ୍ଥାପନ କରାଯିବା ସହିତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ଶୀଘ୍ର ଟେଣ୍ଡର ଡକାଯିବ । ପ୍ରସ୍ତାବିତ ଆଲୋକୀକରଣ ସକାଶେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ନିର୍ଦ୍ଦଷ୍ଟ ପରାମର୍ଶ ଦିଆଯାଇଥିଲା । ଏଏସଆଇର ବୈଷୟିକ ପରାମର୍ଶ ଏବଂ ମାର୍ଗଦର୍ଶନରେ ବିସ୍ତୃତ ରୂପରେଖ ପ୍ରସ୍ତୁତି କରାଯାଇଥିବା ବେଳେ ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ।

ପ୍ରଶାସନ ତରଫରୁ କୁହାଯାଇଛି, ଆସନ୍ତା ୩ ରୁ ୪ ମାସ ମଧ୍ୟରେ ଏହି ଆଲୋକୀକରଣ କାମ ଶେଷ କରିବାକୁ ଲକ୍ଷ୍ୟ ଧରାଯାଇଛି। ଏହି ପ୍ରକଳ୍ପ ପୂରା ହେଲେ ଶ୍ରୀମନ୍ଦିରର ରାତ୍ରି ସୌନ୍ଦର୍ଯ୍ୟ ଦେଖି ଭକ୍ତମାନେ ଏକ ଅଲୋକିକ ଅନୁଭୂତି ଅନୁଭବ କରିପାରିବେ।

 

Tags: