ଖଲ୍ଲିକୋଟରେ ଭୟଙ୍କର ବିସ୍ଫୋରଣ ୩ ଗୁରୁତର
ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଭୟଙ୍କର ବିସ୍ଫୋରଣ । ଗତ ବିଳମ୍ବିତ ରାତିରେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅରବିନ୍ଦ ନଗର ଦ୍ୱିତୀୟ ଲାଇନ୍ରେ ଥିବା ଏକ ଘରେ ଭୟଙ୍କର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନେ ହେଲେ ମୀରା ମହାରଣା, ତାଙ୍କ ସ୍ୱାମୀ କପିଳ ଚନ୍ଦ୍ର ମହାରଣା ଏବଂ ପୁଅ ବିକାଶ ମହାରଣା ।
ଆହତମାନଙ୍କୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି ।
ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର କାନ୍ଥ ଭୁଶୁଡ଼ି ପଡ଼ିବା ସହ ଲୁହା ଗେଟ୍ ଏବଂ ଗ୍ରିଲ୍ ଉପୁଡ଼ି ଯାଇଛି । ଏହା ସହିତ ଘର ଭିତରେ ଥିବା ବାଇକ୍, କୁଲର ଏବଂ ଅନ୍ୟାନ୍ୟ ଆସବାବପତ୍ର ଭାଙ୍ଗି ଚୁରମାର ହୋଇଯାଇଛି ।
ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘର ଭିତରେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଘର ଭିତରେ ରଖାଯାଇଥିବା କୌଣସି ବିସ୍ଫୋରକ ସାମଗ୍ରୀରୁ ଏହା ଘଟିଥିବା ପୋଲିସ ସନ୍ଦେହ କରୁଛି ।




