ବିବାହିତା ଝିଅ ମଧ୍ୟ ପାଇପାରିବେ ଅନୁକମ୍ପା ମୂଳକ ନିଯୁକ୍ତି - ହାଇକୋର୍ଟ
କଟକ : ଓଡିଶା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର । ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଜଣେ ଝିଅ ବିବାହ କରି ସାରି ଥିବାରୁ ତାକୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ଓଡିଶା ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଢେଙ୍କାନାଳର ଗୌରୀ ଜେନା ନାମ୍ନୀ ଜଣେ ଆବେଦନକାରିଣୀଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରିଣୀଙ୍କ ବାପା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ କରିଥିଲେ। ଚାକିରିରେ ଥିବା ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କର ବିବାହିତା ଝିଅ ଗୋୖରୀ ଜେନା ଢେଙ୍କାନାଳ ସିଡ଼ିଏମଓଙ୍କୁ ଅନୁକମ୍ପାମୂଳକ ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଗୌରୀ ବିବାହିତା ଦର୍ଶାଇ ଢେଙ୍କାନାଳ ସିଡିଏମଓ ୨୦୧୬ ଜୁଲାଇ ୨୮ ତାରିଖରେ ଆବେଦନକୁ ଖାରଜ କରି ଦେଇଥିଲେ । ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ହାଇବ୍ରିଡ୍ ମୋଡ୍ରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଆବେଦନକାରିଣୀଙ୍କ ଓକିଲ କୋର୍ଟଙ୍କ ସମ୍ମୁଖରେ ବିଭିନ୍ନ ପୂର୍ବ ମାମଲାର ଉଦାହରଣ ଉପସ୍ଥାପନ କରିଥିଲେ। ଏହି ସବୁ ମାମଲାରେ ହାଇକୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ମୃତ କର୍ମଚାରୀଙ୍କ ବିବାହିତ ଝିଅମାନେ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାର ସମ୍ପୂର୍ଣ୍ଣ ଅଧିକାରୀ; ତେଣୁ ଆବେଦନକାରିଣୀଙ୍କ ଆବେଦନକୁ ଖାରଜ କରିବା ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ।
କେବଳ ବିବାହ କରିଥିବାରୁ ନିଯୁକ୍ତିରୁ ବଞ୍ଚିତ କରାଯିବା ସମ୍ବିଧାନର ଧାରା ୧୪, ୧୫ ଓ ୧୬ର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଆବେଦନ କାରିଣୀଙ୍କ ଦାବିକୁ ଗ୍ରହଣ କରି ଦୁଇ ମାସ ମଧ୍ୟରେ ନୂଆ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।




