ମାର୍ଚ୍ଚ ୨୫ରତ୍ନ ଭଣ୍ଡାର ଗଣତି ମଣତି
ପୁରୀ : ମାହେନ୍ଦ୍ର ବେଳାରେ ହେବ ରତ୍ନଭଣ୍ଡାର ଗଣତି ମଣତି । ମାର୍ଚ୍ଚ ୨୫ଗୁରୁବାର ଦିନ ମହାପ୍ରଭୁଙ୍କର ରତ୍ନଭଣ୍ଡାର ଗଣତି ମଣତି ଆରମ୍ଭ କରାଯିବ । ମଧ୍ୟାହ୍ନ ୧୨ଟା ୯ରୁ ଦିନ ୧.୪୫ ମଧ୍ୟରେ ଗଣତି ମଣତି ଆରମ୍ଭ ହେବ । ଭିଡ଼ିଓଗ୍ରାଫି ଓ ଫଟୋଗ୍ରାଫି ସହ ଥ୍ରୀ ଡି ମ୍ୟାପିଂ ହେବ । ୩ଟି ପର୍ଯ୍ୟାୟରେ ହେବ ଗଣତି ମଣତି । ଏଥିପାଇଁ ଗତକାଲି ଠାରୁ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।
ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ର ଗଣତି ମଣତି କରାଯିବ ଏବଂ ୧୯୭୮ ମସିହାର ପୂର୍ଣ୍ଣାଙ୍ଗ ତାଲିକା ସହ ମେଳ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଅଳଙ୍କାର ଗଣତି ମଣତି ପାଇଁ ସୁପରଭାଇଜିଂ ଟିମ୍ ଓ ହ୍ୟାଣ୍ଡେଲିଂ ଟିମ୍ ଭଳି ଦୁଇଟି ଟିମ୍ ଗଠନ ହୋଇଛି । ସ୍ବର୍ଣ୍ଣ ଅଳଙ୍କାର ଗୁଡିକୁ ହଳଦିଆ ଭେଲଭେଟ କନାରେ , ରୌପ୍ୟ ଅଳଙ୍କାରକୁ ସିଲଭର ଏବଂ ଅନ୍ୟାନ୍ୟ ଅଳଙ୍କାର ଗୁଡିକୁ ଲାଲ ଭେଲାଭେଟ କଣାରେ ଗୁଡ଼ାଇ ରଖାଯିବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପର ଭାଇଜିଂ ଟିମର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଓ ଜଣେ ସେବାୟତ ସଦସ୍ୟ ମଧ୍ୟ ରହିଛନ୍ତି। ଗତକାଲି ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ କିଭଳି ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ହେବ ସେ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।




