ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଘଟଣାରେ ମଣ୍ଡି ଅବ୍ୟବସ୍ଥାର ସମ୍ପୃକ୍ତି ନାହିଁ - ମନ୍ତ୍ରୀ

ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଘଟଣାରେ ମଣ୍ଡି ଅବ୍ୟବସ୍ଥାର ସମ୍ପୃକ୍ତି ନାହିଁ - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଗୃହରେ ଉଠିଲା ଚାଷୀ ମୃତ୍ୟୁ ମାମଲା । ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ତ୍ରିଲୋଚନଙ୍କ ମୃତ୍ୟୁ ମଣ୍ଡି ଅବ୍ୟବସ୍ଥାରୁ ନୁହେଁ ହୃଦଘାତ କାରଣରୁ ହୋଇଥିଲା ।

 ଗତମାସ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ମଣ୍ଡି ଅବ୍ୟବସ୍ଥାରୁ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହାକୁ ନେଇ ବିରୋଧୀ ଦଳ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ଆଜି ଗୃହରେ ଯୋଗାଣ ମନ୍ତ୍ରୀ ବିବୃତିରେ କହିଛନ୍ତି,  ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ସମ୍ପର୍କରେ କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ପରେ ରାଜ୍ୟ ସରକାର ଅତ୍ୟନ୍ତ  ଗମ୍ଭୀରତାର ସହିତ ଗ୍ରହଣ କରି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଜିଲ୍ଲାସ୍ତରରେ ଏକ ଯୁଗ୍ମ କମିଟି ଦ୍ଵାରା ତଦନ୍ତ କରାଇଥିଲେ । ତଦନ୍ତରୁ ସ୍ପଷ୍ଟ ହେଲା ଯେ ଦିବଙ୍ଗତ ନାୟକ ଗତ ୧୪ ଫେବୃଆରୀରେ ତାରିଖରେ ମଣ୍ତିରେ ୩୮.୯୦କ୍ଵିଣ୍ଟାଲ ଧାନ ବିକ୍ରି କରିଥିଲେ । ବିକ୍ରୟ ଧାନ ସର୍ବନିମ୍ନ ସହାୟତା ମୂଲ୍ୟ ୧,୨୦,୫୯୦ତାଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ତାଙ୍କୁ ୩୯ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା । ତଦନ୍ତରୁ ଜଣାପଡିଛି ଯେ, ତ୍ରିଲୋଚନଙ୍କ ମୃତ୍ୟୁ ୨୫ ଫେବୃଆରୀରେ ହୃଦଘାତରୁ ହୋଇଥିଲା । ଧାନ ବିକ୍ରୟ ବା ମଣ୍ତିର ବ୍ୟବସ୍ଥା ସହ ଏହାର କୌଣସି ସମ୍ପର୍କ ମିଳିନାହିଁ । ଏହି ପରିସ୍ଥିତିରେ ବିରୋଧି ଦଳର ମୁଖ୍ୟ ସଚେତକ ମାନନୀୟା ବିଧାୟିକା ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ତଥ୍ୟ ସହ ପ୍ରମାଣ ସମନ୍ବୟ ରଖୁନାହିଁ।

Tags: