ମଣ୍ଡି ଅବ୍ୟବସ୍ଥା,ଆସନ୍ତା କାଲି ବସିବ ବୈଠକ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ମଣ୍ଡି ସମସ୍ୟା। ଏନେଇ ବଡ଼ ବୈଠକ ଡାକିଲେ ସରକାର। ଆସନ୍ତାକାଲି ମଙ୍ଗଳବାର ଅପରାହ୍ନ ୩ଟାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ଯ କୃଷି ମନ୍ତ୍ରୀ କେଭି ସିଂଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ରହିବେ। ଧାନ ଉଠାଣରେ କେଉଁଠି ଓ କାହିଁକି ସମସ୍ୟା ରହୁଛି ଓ ଏହାର ସମାଧାନ କିପରି ହେବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।
ସେପଟେ,ମଣ୍ଡି ସମସ୍ୟାକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ପ୍ରତିଦିନ ଧାନ ଉଠୁଛି।ସରକାରକୁ ବଦନାମ କରିବାକୁ କିଛି ଲୋକ ଓ ବିରୋଧୀ ଦଳ ପ୍ରୟାସ କରୁଛନ୍ତି । ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଥିବା ନଜରକୁ ଆସୁଛି। ଏନେଇ ଆମ ପାଖେ ଖବର ମଧ୍ଯ ଅଛି। ଚାଷୀ ଚାହୁଁଛନ୍ତି ଧାନ ଆଣିଲେ ସଙ୍ଗେ ସଙ୍ଗେ ଉଠିଯାଉ ବୋଲି କିନ୍ତୁ ତାହା ସମ୍ଭବ ନୁହେଁ। ଯେହେତୁ ଦିନେ ଦୁଇଦିନ ସମୟ ଲାଗୁଛି ତେଣୁ ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି। ଏପର୍ଯ୍ୟନ୍ତ ୩ ଲକ୍ଷ ୮୫ ହଜାର ୪୦୫ ଟନ୍ ଧାନଉଠି ସାରିଲାଣି। ୮୫ ହଜାର ୧୮୩ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି ।
ଅନ୍ୟପଟେ, କୋରାପୁଟ ଜିଲ୍ଲା ନବରଙ୍ଗପୁରରେ କୌଣସି ମଣ୍ଡିରୁ ଏପର୍ଯ୍ୟନ୍ତ ଏହଂ ଉଠାଣ ହୋଇ ନଥିବାରୁ ତାତିଲେ ଚାଷୀ । ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକ ତଥା ଉମରକୋଟ, ଝରୀଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ କରି ରାଜରାସ୍ତାରେ ଧାରଣା ଦେଇଛନ୍ତି ଚାଷୀ । ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଚକ ଅଖ । ଜିଲ୍ଲାରେ ଏକ ମାସ ବିଳମ୍ବରେ ଅର୍ଥାତ ୧୭ ଡିସେମ୍ବରରେ ଖୋଲିଲା ମଣ୍ଡି । ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାର କୌଣସି ମଣ୍ଡିରୁ ଧାନ ଉଠିନଥିବା ଅଭିଯୋଗ ହୋଇଛି। ମିଲରଙ୍କଠାରୁ ସରକାର ଗତବର୍ଷର ଟାର୍ଗେଟ ଚାଉଳ ଉଠାଇ ନାହାନ୍ତି । ଏଥିପାଇଁ ମିଲରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ଉଠାଇବା ପାଇଁ ଟାର୍ଗେଟ ମିଳିନି । ଫଳରେ ମଣ୍ଡିରୁ ଧାନ ଉଠୁନାହିଁ । ଏଥିସହ ଚଳିତ ବର୍ଷ ମକା ଦାମ କୁଇଣ୍ଟାଲ ୧୮୦୦ ଟଙ୍କା ରହିଛି । ଗତବର୍ଷ ମକା କୁଇଣ୍ଟାଲ ୨୩୦୦/- ରୁ ୨୪୦୦ ଟଙ୍କା ରହିଥିଲା । ଯାହାକୁ ନେଇ ଚାଷୀ କ୍ଷତି ସହୁଛନ୍ତି ।




