ରାଜଧାନୀରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ପୁରୁଷ ବନ୍ଧୁ ଗିରଫ
ଭୁବନେଶ୍ୱର : ଉଚ୍ଚ ଶିକ୍ଷିତା ଯୁବତୀ ବି କେ ମନୀଷା ଓରଫ୍ ଗୋଲ୍ଡିଙ୍କ ଆତ୍ମହତ୍ୟା ଘଟଣା । ୨ଦିନ ପରେ ମନୀଷାଙ୍କ ପୁରୁଷ ବନ୍ଧୁ (ସ୍ୱାମୀ)ଙ୍କୁ ଗିରଫ କରିଛି ପାହାଳ ଥାନା ପୋଲିସ । ସେ ହେଲେ କଟକ ଜଗତପୁର ଥାନା ଅଧୀନ ନୂଆସାହିର ସୂର୍ଯ୍ୟନାରାୟଣ ଜେନା (୨୮)। ପୁରୁଷ ବନ୍ଧୁଙ୍କ ସହିତ ଲିଭ ଇନ୍ ରେ ରହୁଥିଲେ ମନୀଷା । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଘଟଣାର ପୂର୍ବଦିନ କୌଣସି କାରଣକୁ ନେଇ ଗୋଲ୍ଡିଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହାପରେ ତାଙ୍କ ଝୁଲନ୍ତା ମୃତଦେହକୁ ପାହାଳ ଥାନା ପୁଲିସ ଭଡ଼ାଘର ଭିତରୁ ଜବତ କରିଥିଲା ।
ସୂଚନାନୁସାରେ, ଭଦ୍ରକ ବାସଦେବପୁର ଅଞ୍ଚଳରେ ବି କେ ମନୀଷାଙ୍କ ଘର । ସେ ୨୦୧୪ ରୁ ଭୁବନେଶ୍ୱରରେ ରହୁଥିଲେ । ମନୀଷା ଏମବିଏ ପଢା ସାରି ଏକ ଦାମୀ ହୋଟେଲ ରେ ଏଚଆର ଭାବରେ ଚାକିରୀ କରିଥିଲେ । କିନ୍ତୁ ୬ମାସ ପୂର୍ବରୁ ସେ ଚାକିରୀ ଛାଡିଥିଲେ । ୨୦୨୪ ନଭେମ୍ବର ୨୬ରେ କଟକର ବିଏନ୍ ସନ୍ ରେଷ୍ଟୁରାଣ୍ଟରେ ସୂର୍ଯ୍ୟଙ୍କ ସହ ମନୀଷାଙ୍କ ଭେଟ ହୋଇଥିଲା । ଏହାପରଠୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା କ୍ରମେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଉଭୟଙ୍କ ପରିବାର ବିବାହରେ ଅରାଜି ଥିଲେ । ପରିବାର ବିରୋଧରେ ଯାଇ ଉଭୟେ ୨୦୨୫ ଜାନୁଆରୀ ୨୮ରେ କଟକ ମଙ୍ଗୁଳିର ବିରୁପାକ୍ଷ ମନ୍ଦିରରେ ବିବାହ କରି ପାହାଳ ଥାନା ବିଷ୍ଣୁ ବିହାର ଲେନ ୩ ରେ ରହିଆସୁଥିଲେ। ସେ ବିଳାସପୂର୍ଣ୍ଣ ଜୀବନ ଜିଉଁଥିଲେ । ଦାମୀ କାର, ପାର୍ଟି, କ୍ଲବ୍, ପବ୍ରେ ସମୟ ବିତୁଥିଲା । ତେବେ ଚାକିରୀ ଯିବା ପରେ ଆର୍ଥିକ ସ୍ଥିତିକୁ ନେଇ ସେ ମାନସିକ ଅବସାଦରେ ରହୁଥିଲେ । ୨୪ ତାରିଖ ରାତିରେ ମନୀଷା ବିଳମ୍ବିତ ରାତିରେ ଘରକୁ ଫେରିବାରୁ ସୂର୍ଯ୍ୟଙ୍କ ସହ ଝଗଡ଼ା ହୋଇଥିଲା । ଏହାପରେ ୨୬ ତାରିଖ ସନ୍ଧ୍ୟାରେ ପାହାଳରେ ଥିବା ଭଡା ଘରର କବାଟ ଭାଙ୍ଗି ପୋଲିସ ମୃତଦେହ ଉଦ୍ଧାର କରିଥିଲା ।



