ସ୍ୱାସ୍ଥ୍ୟ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଡାକ୍ତର ନିଲମ୍ବିତ
ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ୩ ଜଣ ଡାକ୍ତର ନିଲମ୍ବିତ । ନିଲମ୍ବିତ ଡାକ୍ତର ହେଲେ ଗମ୍ଭାରୀମୁଣ୍ଡା CHC ମେଡିକାଲ ଅଫିସର ପ୍ରଭାକର ବେହେରା । ଗାଜଲବାଡ଼ି ପିଏଚ୍ ସି ମେଡିକାଲ ଅଫିସର ତମନ୍ନା ପ୍ରିୟଦର୍ଶିନୀ ଏବଂ ଆସିକା ଏସ୍ ଡିଏଚ୍ ମେଡିକାଲ ଅଫିସର ସୁପ୍ରକାଶ ଦାସ ।
ସୂଚନାନୁସାରେ, ଗମ୍ଭାରୀମୁଣ୍ଡା CHC ମେଡିକାଲ ଅଫିସର ପ୍ରଭାକର ବେହେରା ସାମାଜିକ ଗଣମାଧ୍ୟମରେ ଅନଧିକୃତ ମନ୍ତବ୍ୟ ପାଇଁ ନିଲମ୍ବିତ ହୋଇଥିବାବେଳେ ଗାଜଲବାଡ଼ି ପିଏଚ୍ ସି ମେଡିକାଲ ଅଫିସର ତମନ୍ନା ପ୍ରିୟଦର୍ଶିନୀ , ଡା. ସୁପ୍ରକାଶ ଦାସ ବାତ୍ୟା ଅର୍ଣ୍ଣବ ବେଳେ ଅନଧିକୃତ ଭାବେ ଛୁଟିରେ ଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତବେଳେ ଉଭୟ ଅନୁପସ୍ଥିତ ଥିଲେ ।
ନିଲମ୍ବନ ଅବଧିରେ ଡା. ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଖୋର୍ଦ୍ଧା ଓ ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ସିଟି ହସ୍ପିଟାଲ, ବ୍ରହ୍ମପୁର ରହିବ । କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ-୧୨ ଅନୁଯାୟୀ ସେମାନଙ୍କୁ ନିଲମ୍ବନ କରାଯାଇଛି ।




