ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ
ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡସିଂହାର ନୀତିରେ ପଦ୍ମବେଶରେ ବିଭୂଷିତ ହୋଇ ପହୁଡ଼ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରଦ୍ଧାଳୁ ମାନେ କଲି ସକାଳେ ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବେ । ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ବର୍ଷକୁ ଥରେ ବଡ଼ସିଂହାର ନୀତିରେ ହୋଇଥାଏ ପଦ୍ମବେଶ। ଦିନକ ପାଇଁ ପଦ୍ମବେଶରେ ପହୁଡ଼ ହୁଅନ୍ତି ମହାବାହୁ।
ଶ୍ରୀଜିଉଙ୍କର ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ପଦ୍ମବେଶ ଅନନ୍ୟ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ୱା ଶନିବାର ପଡିଥାଏ । ସେହିଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ସେହି ପରିପ୍ରେକ୍ଷୀରେ ଆଜି ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ ।
ଦୁର୍ଲଭ ପଦ୍ମବେଶ ପାଇଁ ବେଶ କାରିଗରଙ୍କ ଦ୍ୱାରା ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ଭିତରକୁ ସଂଧ୍ୟାରେ ଏହି ବେଶ ଯିବ । ଶ୍ରୀଭୁଜରେ ପଦ୍ମକଳିକା ଲାଗି ହୁଏ । ସେଥିରୁ ଝୁଲି ଦୁଇ ତିନି ଖଣ୍ଡ ହୋଇ ପଦ୍ମ ନାଡ଼ ଶ୍ରୀମୁଖ କମଳରୁ ନିମ୍ନକୁ ଲମ୍ବି ଥାଏ । ଯଥା ସ୍ଥାନରେ ଶୋଭାପାଏ ପତ୍ରରାଜି ।ସୋଲ,ଜରି,କନା,କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । କୀରୀଟ,ଚୂଳ, ହୃଦପଦକ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିଥାନ୍ତି ମହାପ୍ରଭୁ । ତେବେ ମନୋହର ଦାସଙ୍କ ସ୍ମୃତିରେ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ବେଳେ ଏହା ପଛରେ ଅନେକ ତତ୍ୱ ରହିଛି ।



